ଶୀତ ଅଧିବେଶନର ପ୍ରଥମ ଦିବସ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭାରେ ପ୍ରଥମେ ଦିବଂଗତ ରାଜନେତା, ସାଂସଦ ଏବଂ ପ୍ରମୁଖ ବ୍ୟକ୍ତିତ୍ବଙ୍କ ସ୍ମୃତିଚାରଣ କରି ଅଧିବେଶନ ଆରମ୍ଭ ହୋଇଥିଲା। ଅଧିବେଶନ ଆରମ୍ଭରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଆଜି ଦିବଂଗତ ନେତା ମୁଲାୟମ ସିଂହ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଲାୟମଙ୍କ ସମେତ ଲୋକସଭାର ଅନ୍ୟ ଜଣେ ଦିବଂଗତ ସାଂସଦ, ୮ ଜଣ ପୂର୍ବତନ ଲୋକସଭା ସାଂସଦ ଏବଂ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହାପରେ ଲୋକସଭା ଆଜି ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା। ଅନ୍ୟପକ୍ଷେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଉଦ୍‌ବୋଧନ ଦେବାବେଳେ‌ ଧନଖଡ଼ଙ୍କୁ ଗୃହ ଏବଂ ଦେଶ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ଦଳ ଏକାଠି କାମ କରିବାପାଇଁ ଅନୁରୋଧ କରିଥିଲେ। ମୋଦୀ କହିଛନ୍ତି, ସବୁ ଦଳର ନେତାମାନେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଏବଂ ଯୁବ ସାଂସଦଙ୍କ ଯନ୍ତ୍ରଣାକୁ ବୁଝିବା ଉଚିତ। ମୋଦୀ କହିଛନ୍ତି, ଯୁବ ସାଂସଦମାନେ ଆଲୋନଚାରେ ଭାଗ ନେବାପାଇଁ ଚାହୁଛନ୍ତି। ସେମାନଙ୍କୁ ଏଥିପାଇଁ ସୁ‌‌ଯୋଗ ମିଳିବା ଉଚିତ। ମୋଦୀ ମଧ୍ୟ ଆଜି ସଂସଦରେ ଭାରତର ଜି-୨୦ ଅଧ୍ୟକ୍ଷତା ସଂକ୍ରାନ୍ତରେ କହିଛନ୍ତି। ମୋଦୀ କହିଛନ୍ତି, ଭାରତର ଜି-୨୦ ଅଧ୍ୟକ୍ଷତା କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ। ସମଗ୍ର ବିଶ୍ବ ଆଗରେ ଭାରତର ଦକ୍ଷତାକୁ ଦେଖାଇବାପାଇଁ ଏହା ଏକ ସୁଯୋଗ। ଲୋକସଭାରେ ମଧ୍ୟ ସରକାର ଏ ନେଇ ବୟାନରେ କହିଛନ୍ତି ଯେ ଜି-୨୦ ଅଧ୍ୟକ୍ଷତା ମାଧ୍ୟମରେ ଭାରତ ଅନ୍ତର୍ଜାତୀୟ ପ୍ରସଙ୍ଗରେ ନିଜର ମତକୁ ଅତି ସୁଦୃଢ଼ ଭାବେ ରଖିପାରିବ।

ଲୋକସଭାରେ ଆଜି ଆଣ୍ଟି ମାରିଟାଇମ୍‌ ପାଇରେସି ବିଲ୍‌ (ସାମୁଦ୍ରିକ ଡକାୟତୀ ନିବାରଣ ବିଲ୍‌) ଉପରେ ଆଲୋଚନା ହୋଇଛି। ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଆଜି ଲୋକସଭାରେ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ପ୍ରସଙ୍ଗ ଉଠାଇଛନ୍ତି। ସୁଲେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଂସଦରେ ବର୍ଷିଥିଲେ। ସେମାନେ ମହାରାଷ୍ଟ୍ରକୁ ଭାଙ୍ଗି ଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ଆଜି ରାଜ୍ୟସଭାରେ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧନ ବିଲ୍‌ ପ୍ରସଙ୍ଗ ଉଠାଇଥିବା ବେଳେ ସିପିଆଇ ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗ ଉଠାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା କହିଥିଲେ, ଗ୍ରାମୀଣ ଭାରତ ଏବଂ ଚାଷୀ ସମ୍ପ୍ରଦାୟ ବିଷୟବସ୍ତୁ ଉପରେ ଆଲୋଚନା ଆବଶ୍ୟକତା ରହିଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଏବଂ ରାଜ୍ୟସଭା ମୁଲତବୀ ରହିଛି। ଆଜି ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଉତ୍ତରରେ କହିଛନ୍ତି ଯେ କେନ୍ଦ୍ର ସରକାର ଦ୍ବାରା ୨୦୧୭ରୁ ୨୦୨୧ ମଧ୍ୟରେ ୬୬୭୭ ଏନ୍‌ଜିଓର ଏଫ୍‌ସିଆର୍‌ଏ ଲାଇସେନ୍ସ ରଦ୍ଦ ହୋଇଛି। ସେହିଭଳି ଲୋକସଭାରେ ସରକାର ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଚଳିତ ବର୍ଷ ଦେଶର ବିଭିନ୍ନ ଅଂଚଳରେ ବଜ୍ରପାତ ଯୋଗୁଁ ୯୦୭ ଜଣଙ୍କ ମୃତ୍ୟୁ ହୋଇଛି।

nis-ad
Leave A Reply

Your email address will not be published.