ସରକାରୀ ପିଆଜ ବିହନର କୃତ୍ରିମ ଅଭାବ , ୫୦ ପ୍ରତିଶତ ଚାଷୀ ବଂଚିତ

ହରଭଙ୍ଗା : ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସବସିଡି ଜରୀଆରେ କମ୍ ମୂଲ୍ୟରେ ଚାଷୀଙ୍କୁ ପିଆଜ ବିହନ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଏହା ସହିତ ପିଆଜ ଘର ମଧ୍ୟ ସବସିଡି ଆକାରରେ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ଚଳିତବର୍ଷ ସାରା ରାଜ୍ୟରେ ପିଆଜ ବିହନର ଅଭାବ ପରିଲିକ୍ଷିତ ହୋଇଛି। ଯାହାର ପ୍ରଭାବ ବୌଦ୍ଧଜିଲ୍ଲାରେ ମଧ୍ୟ ପଡିଛି। ପିଆଜ ଉତ୍ପାଦନରେ ଅଗ୍ରଣୀ ଲାଭକରିଥିବା ଜିଲ୍ଲାରେ ରବି ଋତୁରେ ପିଆଜ ବିହନର କୃତ୍ରିମ ଅଭାବ ଯୋଗୁଁ ଏଥର ପିଆଜ ଉତ୍ପାଦନ ପ୍ରଭାବିତ ହେବା ସହିତ ପିଆଜ ଚାଷୀ କ୍ଷତି ସହିବା ଏକପ୍ରକାର ନିଶ୍ଚିତ ହୋଇଛି।

ପ୍ରକାଶ ଯେ ଜିଲ୍ଲାର ବୌଦ୍ଧ,ହରଭଙ୍ଗା ଏବଂ କଂଟାମାଳ ଭଳି ତିନୋଟି ବ୍ଲକରେ ପ୍ରତିବର୍ଷ ୪ହଜାର ୩ଶହ ଏକର ଚାଷ ଜମିରେ ପିଆଜ ଚାଷ ହେଉଥିବା ସୂଚନା ମିଳିଛି। ଚଳିତବର୍ଷ ରବି ଋତୁ ପାଇଁ ବିଭାଗ ପକ୍ଷରୁ ୩୦ କ୍ୱିଂଟାଲ ପିଆଜ ବିହନ ଇଣ୍ଡେନ କରାଯାଇଥିଲା। ସେଥିରୁ ୫୦ ପ୍ରତିଶତ ଅର୍ଥାତ୍ ମାତ୍ର ୧୫ କ୍ୱିଟାଂଲ ବିହନ ପଂହଚିଥିଲା। ଫଳରେ ଜିଲ୍ଲାରେ ୫୦ ପ୍ରତିଶତ କମ୍ ପିଆଜ ବିହନ ଯୋଗୁଁ ଚାଷୀଙ୍କ ଚାହିଦା ପୂରଣ ହୋଇପାରିନାହିଁ ।
ବିଶେଷକରି ଚଳିତବର୍ଷ ଖରିଫ ଋତୁରେ ଆବଶ୍ୟକୀୟ ପିଆଜ ବିହନ ଯୋଗାଣ ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ଖରିଫ ପିଆଜ ଚାଷ ଏଥର ଜିଲ୍ଲାରେ ସେତେଟା ଭଲ ହୋଇନଥିଲା। ଯାହାଫଳରେ ରବି ସମୟରେ ପିଆଜ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବୃଦ୍ଧି ହୋଇଥିଲା। ବିହନ ପାଇଁ ଗୋ-ସୁଗମ ପୋର୍ଟାଲରେ ଆବଶ୍ୟକୀୟ ଠାରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିଥିଲେ। ଏଥିରୁ ଅନୁମାନ କଲେ ଜିଲ୍ଲାରେ ପିଆଜ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଉଥିବା ସ୍ପଷ୍ଟ ହୋଇଥିଲା। ମାତ୍ର ୫୦ ପ୍ରତିଶତ କମ୍ ବିହନ ଯୋଗୁଁ ଚାଷୀ ବିହନରୁ ବଂଚିତ ହେବା ସହିତ ସରକାରଙ୍କ ସବସିଡିରୁ ବଂଚିତ ହୋଇ ବାହାର ଜିଲ୍ଲାରୁ ଚଢାଦରରେ ବିହନ ଆଣି ଚାଷ କରୁଥିବା ଦେଖାଦେଇଛି । ଅନ୍ୟପଟେ ଆଉ ବିଭାଗ ପକ୍ଷରୁ ପିଆଜ ବିହନ ମିଳିବ କି ନ ମିଳିବ ସେଥିପ୍ରତି କୌଣସି ସଠିକ୍ ସୂଚନା ମିଳୁନାହିଁ।
ସୂଚନା ଅନୁସାରେ ଡିସେମ୍ବର ୧୫ରୁ ଜାନୁୟାରୀ ୨୦ତାରିଖ ମଧ୍ୟରେ ରବି ପିଆଜ ଲଗାଯାଇଥାଏ। ଜିଲ୍ଲାରେ ଉଭୟ ଖରିଫ ଏବଂ ରବିରେ ପିଆଜ ଚାଷ ହୋଇଥାଏ। ଏପ୍ରିଲ ମାସ ଶେଷ ଆଡକୁ ପିଆଜ ଅମଳ ହୋଇଥାଏ। ଗୋଟିଏ ଏକର ଚାଷଜମିରୁ ପାଖାପାଖି ୭୦ରୁ ୮୦କ୍ୱିଂଟାଲ ପିଆଜ ଉତ୍ପାଦନ ହୋଇଥାଏ। ପ୍ରତିବର୍ଷ ଜିଲ୍ଲାରେ ୨ ଲକ୍ଷ ୮୦ହଜାର କ୍ୱିଂଟାଲ ପିଆଜ ଉତ୍ପାଦନ ହେଉଥିବା ଜଣାପଡିଛି। ଜିଲ୍ଲାର ସବୁ ବ୍ଲକ ତୁଳନାରେ ହରଭଙ୍ଗା ବ୍ଲକର ଲୁଣିବାହାଲ ପଂଚାୟତର ତାରୁ ସିଂ, ଘଂଟପାଲୀ, କଂଟିଆପଦର, ତାଳପଦର, ଯୁବରାଜପୁର, ବଡବନ୍ଧ, ସୁକପାଲ୍ଲୀ, ବାରବାଣି ଅଂଚଳରେ ସବୁଠାରୁ ଅଧିକ ପରିମାଣରେ ପିଆଜ ଚାଷ ହେଉଥିବା ଜଣାପଡିଛି ।
ଅମଳ ସମୟରେ ପିଆଜ ଦର ପ୍ରାୟତଃ କମ୍ ରହୁଥିବାରୁ ଅମଳ ପରେ ଚାଷିକୁ ପିଆଜ ସାଇତି ରଖୀବା ପାଇଁ ପ୍ରତିବର୍ଷ ରିହାତି ଦରରେ ପିଆଜ ଘର ଯୋଗାଇ ଦିଆଯାଉଛି। ଚାଷୀଙ୍କୁ ସବସିଡି ଆକାରରେ ୧୨.୫୦ ମେଟ୍ରିକ ଟନ ବିଶିଷ୍ଟ ପିଆଜ ଘର ଯୋଗାଇ ଦିଆଯାଇଛି। ଅମଳ ପରେ ଦୀର୍ଘ ୬ମାସ ପିଆଜକୁ ସାଇତି ରଖି ଭଲ ଦରରେ ବିକ୍ରୀ କରିବା ପାଇଁ ଚାଷୀଙ୍କୁ ଏଭଳି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଚଳିତବର୍ଷ ଜିଲ୍ଲାରେ ପିଆଜ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଚାହିଦା ଅନୁସାରେ ବିହନ ନ ମିଳିବା ଘଟଣା ଚାଷୀଙ୍କୁ ହତୋତ୍ସାହିତ କରିଛି। ଏହା ସହିତ ଜିଲ୍ଲାର ପାଲଝର ଠାରେ ପିଆଜ ଏବଂ ରସୁଣ ପାଇଁ ଏକ ଗବେଷଣା କେନ୍ଦ୍ର ରହିଛି। ଚଳିତବର୍ଷ ଗବେଷଣା କେନ୍ଦ୍ରରୁ ପିଆଜ ବିହନ ଜିଲ୍ଲା ଚାଷୀଙ୍କୁ ଯୋଗାଇବାରେ ଅସର୍ମଥ ରହିଛି। ଯାହା ଫଳରେ ଜିଲ୍ଲାରେ ଚଳିତବର୍ଷ ପିଆଜ ଉତ୍ପାଦନ ହ୍ରାସ ପାଇବା ଜଳ ଜଳ ହୋଇ ଦିଶୁଛି। ରବି ପିଆଜ ଚାଷ ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ଭିତିଭୂମି ସତ୍ୱେ ବିହନର ଏଭଳି ଅଭାବ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରବି ପିଆଜ ପାଇଁ କମ୍ ସମୟ ଥିବାରୁ ଜିଲ୍ଲାରେ ପଞ୍ଜିକୃତ ଚାଷୀଙ୍କୁ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ଚାଷୀ ମହଲରୁ ଦାବୀ ଉଠୁଛି। ଏ ଦିଗରେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି। ଏ ସର୍ମ୍ପକରେ ବୌଦ୍ଧ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଯୋଗେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ୩୦ କ୍ୱିଂଟାଲ ପିଆଜ ବିହନ ଇଣ୍ଡେନ ଦିଆଯାଇଥିଲା। ମାତ୍ର ୧୫ କ୍ୱିଂଟାଲ ବିହନ ମିଳିଛି। ପ୍ରତି ବ୍ଲକକୁ ୫କ୍ୱିଂଟାଲ ଲେଖାଏଁ ବିହନ ଯୋଗାଇ ଦିଆଯାଇଛି। ଯାହା ଫଳରେ ଚାହିଦା ଅନୁସାରେ ଚାଷୀଙ୍କୁ ପିଆଜ ବିହନ ମିଳି ପାରିନାହିଁ।

nis-ad
Leave A Reply

Your email address will not be published.