ବିକ୍ଷୋଭ ରୋକିବାକୁ ଷଡ଼ଯନ୍ତ୍ର, ୧୨୦୦ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ

ତେହରାନ: ଇରାନ୍‌ରେ ଜାରି ରହିଛି ହିଜାବ ବିରୋଧୀ ଲଢ଼େଇ। ଇରାନ୍ ସରକାରଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ଅଛନ୍ତି ଅଧିକ ଛାତ୍ରଛାତ୍ରୀ। ତେବେ ଏହି ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ଇରାନ୍ ସରକାର କରିଛି ହୀନ ପ୍ରୟାସ। ବିକ୍ଷୋଭ ବନ୍ଦ କରିବାକୁ ରଚିଛନ୍ତି ଷଡଯନ୍ତ୍ର। ହିଜାବ ବିରୋଧୀ ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାୟ ୧୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ଦିଆଯାଇଛି ବିଷ। ହଷ୍ଟେଲ ଖାଦ୍ୟ ଖାଇବା ପରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ଇରାନରେ ଛାତ୍ର ସଂଙ୍ଗଠନ ବିକ୍ଷୋଭ ପ୍ରଦର୍ଶନର ଗୋଟିଏ ଦିନ ପୂର୍ବରୁ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଖରାଜମି ଓ ଅର୍କ ୟୁନିର୍ଭସିଟିର ଛାତ୍ରଛାତ୍ରୀମନେ ବୁଧବାର ଦିନ ଇରାନ ସରକାରଙ୍କ ବିରୋଧୀ ପ୍ରଦର୍ଶନରେ ଭାଗ ନେଇଥାନ୍ତେ। କିନ୍ତୁ ସେମାନଙ୍କ ହଷ୍ଟେଲ ଖାଦ୍ୟରେ ବିଷକ୍ରିୟା ଯୋଗୁ ଛାତ୍ରଛାତ୍ରୀମାନେ ହଠାତ ବାନ୍ତି କରିବାକୁ ଲାଗିଥିଲେ। ଏଥିସହ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା। ଏହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଇରାନ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନର ଅଭିଯୋଗ ମୁତାବକ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିଜାବ ବିରୋଧୀ ଆନ୍ଦୋଳନରେ ଭାଗ ନେବାକୁ ଯୋଜନା କରୁଥିଲେ। ହେଲେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ରୋକିବାକୁ ହୀନ ପ୍ରୟାସ କରିଛନ୍ତି ସରକାର। ବିକ୍ଷୋଭର ଗୋଟିଏ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ବିଷାକ୍ତ ଖାଦ୍ୟ ଖାଇ ୧୨୦୦ରୁ ଅଧିକ ପିଲା ଅସୁସ୍ଥ ହୋଇଛନ୍ତି।

ସେପଟେ ଏହି ଘଟଣା ପରେ ଖରାଜମି ଓ ଅର୍କ ୟୁନିର୍ଭସିଟିର ଛାତ୍ରଛାତ୍ରୀମନେ ଖାଦ୍ୟ ଖାଇବା ବନ୍ଦ ରଖିଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ବିରୋଧ କରି ଇରାନର ଅନେକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାଫେଟେରିଆର ଖାଦ୍ୟ ଖାଇବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ଏହି ଅଭିଯୋଗ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି। ଖାଦ୍ୟ ନୁହେଁ ଦୂଷିତ ପାଣି ପିଇବା ଯୋଗୁ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇପଡିଥିବା ସଫେଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଇରାନ୍‌ରେ ୨୨ ବର୍ଷୀୟ ମହସା ଅମୀନିଙ୍କ ମୃତ୍ୟୁ ପରେ ହିଜାବକୁ ବିରୋଧ କରି ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଇରାନ ସରକାର ବିରୋଧରେ ଦୀର୍ଘ ଦିନ ଧରି ଏହି ବିକ୍ଷୋଭ ଜାରି ରହିଛି । ତେବେ ଆନ୍ଦୋଳନକାରୀଙ୍କ ପ୍ରଦର୍ଶନରେ ସରକାର ଅଳ୍ପ ମୁଣ୍ଡ ନୁଆଇଁଛନ୍ତି। ହିଜାବ ଆଇନ ବଦଳିବ କି ନାହିଁ ସ୍ପଷ୍ଟ ହୋଇନଥିବା ବେଳେ ଇରାନ ସରକାର ଗଠନ କରିଥିବା ମୋରାଲିଟି ପୁଲିସ ଉଚ୍ଛେଦ କରିଛନ୍ତି।

nis-ad
Leave A Reply

Your email address will not be published.