ମର୍ଣ୍ଣିଂୱାକରେ ଯାଉଥିବା ବେଳେ ରାଜନେତାଙ୍କୁ ନିର୍ମମ ଭାବେ ହତ୍ୟା

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସରେ ଜଣେ ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ମର୍ଣ୍ଣିଂୱାକ୍‌ରେ ଯାଉଥିବା ବେଳେ କିଛି ଅଜଣା ଯୁବକ ତାଙ୍କୁ ଛୁରୀ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଆଜି ସକାଳେ ଶ୍ରୀକାଲୁମୀରେ ଘଟିଥିବା ଏହି ଘଟଣା ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

୫୨ ବର୍ଷୀୟ ଭାରତମ ରାମାସେଶୁ ହେଉଛନ୍ତି ୱାଇଏସଆର କଂଗ୍ରେସର ଜଣେ ବରିଷ୍ଠ ନେତା। ସେ ଶ୍ରୀକାକୁଲମ ଗାଁର ପୂର୍ବତନ ସରପଞ୍ଚ ଓ ଏକାଧିକ ଶ୍ରମିକ ସଂଗଠନ ସହ ଜଡ଼ିତ ମଧ୍ୟ ଥିଲେ। ତେବେ ଆଜି ତାଙ୍କୁ ଦୁର୍ବୃତ୍ତମାନେ ତାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି।

ରାସ୍ତା ଉପରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ି ଥିବା ବେଳେ ଲୋକମାନେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ହେଲେ ସେତେବେଳକୁ ଭାରତମଙ୍କ ମୃତ୍ୟୁ ହୋଇ ସାରିଥିଲା।

ପୁଲିସ କହିଛି ଯେ ରାସ୍ତା ଉପରେ ଘଟଣା ଘଟିଥିଲେ ମଧ୍ୟ ସେଠାରେ ଲୋକଙ୍କ ଯିବା ଆସିବା କମ ରହିଥିଲା। ତେଣୁ ଏହାର ଫାଇଦା ନେଇ ଦୁର୍ବୃତ୍ତମାନେ ଭାରତମଙ୍କୁ ହତ୍ୟା କରିଛନ୍ତି। ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଖବର ପାଇ ଶ୍ରୀକାକୁଲମ ପୁଲିସ୍‌ ମୁଖ୍ୟ ଜିଆର ରାଧିକା ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବେ ଗୋଟିଏ ସ୍ୱତନ୍ତ୍ର ଟିମ୍‌ ହତ୍ୟାକାରୀଙ୍କୁ ଧରିବା ପାଇଁ ଗଠନ କରାଯାଇଥିବା ରାଧିକା ସୂଚନା ଦେଇଛନ୍ତି।

ଏଯାଏ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିନି। କିନ୍ତୁ ପୂର୍ବ ଶତ୍ରୁତାରୁ ଏପରି ଘଟିଥିବା ଆଶଙ୍କା କରାଯାଉଛି। ଭାରତମଙ୍କ ହତ୍ୟା ଘଟଣାକୁ ନେଇ ୱାଇଏସ୍‌ଆର କଂଗ୍ରେସର ଅନେକ ନେତା ଶୋକପ୍ରକାଶ କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.