ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା। ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରୁଥିବା ବେଳେ ଭାରତ ସରକାର ଶସ୍ତାରେ ମସ୍କୋ ଠାରୁ ତେଲ କିଣିବା ନୈତିକତା ଦୃଷ୍ଟିକୋଣରୁ ଅନୁଚିତ ବୋଲି ସେ କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କୁଲେବା କହିଛନ୍ତି, “ରୁଷ ଆକ୍ରମଣ ଯୋଗୁ ୟୁକ୍ରେନବାସୀ ଅନେକ କଷ୍ଟ ସହୁଛନ୍ତି। ପ୍ରତି ଦିନ ମରି ମରି ବଞ୍ଚୁଛନ୍ତି। ଏହି କାରଣ ପାଇଁ ଆପଣ ରୁଷ ଠାରୁ ଶସ୍ତାରେ ତେଲ ପାଉଛନ୍ତି। ଯଦି ଆପଣ ଆମେ ସବୁଦିନ ଭୋଗୁଥିବା କଷ୍ଟରୁ ଫାଇଦା ଉଠାଉଛନ୍ତି, ତା’ହେଲେ ଆପଣ ଆମକୁ ମଧ୍ୟ ଅଧିକ ମାତ୍ରାରେ ସହଯୋଗ କରିବା ଦରକାର।”

ଚଳିତ ବର୍ଷ ‍ଫେବୃଆରୀରୁ ନଭେମ୍ବର ମଧ୍ୟରେ ରୁଷ ଠାରୁ ୧୦ଟି ଦେଶ ମିଳିତ ଭାବେ ଯେତିକି ତେଲ ଆଣିଛନ୍ତି, ତା’ ଠାରୁ ଅଧିକ ଅଶୋଧିତ ତୈଳ ୟୁରୋପୀୟ ୟୁନିୟନ ଆମଦାନୀ କରିଛି ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ। ଏଥିସହ ୟୁରୋପୀୟ ୟୁନିୟନ କେବେ ହେଲେ ଦୋମୁହାଁ ନୀତି ଅବଲମ୍ବନ କରିପାରିବ ନାହିଁ ବୋଲି ସେ ମତ ରଖିଥିଲେ।
ଜୟଶଙ୍କରଙ୍କ ଏପରି ବୟାନ ଉପରେ ମଧ୍ୟ କୁଲେବା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “କେବଳ ୟୁରୋପୀୟ ୟୁନିୟନକୁ ଅଙ୍ଗୁଳି ଦେଖାଇ, ଓଃ ସେମାନେ କରୁଛନ୍ତି ବୋଲି ଆମେକ କହିଦେବା ଯଥେଷ୍ଟ ନୁହେଁ।” କୁଲେବାଙ୍କ କହିବା କଥା ଭାରତ ଶସ୍ତାରେ ରୁଷ ଠାରୁ ତେଲ ଆଣିବା ବେଳେ ୟୁକ୍ରେନବାସୀ ଭୋଗୁଥିବା ଯନ୍ତ୍ରଣାକୁ ଥରେ ବିଚାର କରିବା ଦରକାର। ଯୁଦ୍ଧ ଶେଷ କରିବା ପାଇଁ ଭାରତ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ ବୋଲି ମଧ୍ୟ କୁଲେବା କହିଛନ୍ତି।

ସେ କହିଛନ୍ତି, “ବିଶ୍ୱ ମାନଚିତ୍ରରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରଧାନମନ୍ତ୍ରୀ ନିଜର କଥା ଦ୍ୱାରା ଅନେକ ପରିବର୍ତ୍ତନ ଆଣିପାରିବେ। ଆମେ ସେହି ସମୟକୁ ଅପେକ୍ଷା କରିଛୁ ଯେତେବେଳେ ଭାରତର ବିଦେଶ ନୀତି ସତକୁ ସତ କହିବ। ବର୍ତ୍ତମାନ ସୃଷ୍ଟି ହୋଇଥିବା ବିବାଦକୁ ଭାରତ ସରକାର ୟୁକ୍ରେନରେ ଯୁଦ୍ଧ ଭାବେ ବିବେଚନା ନ କରି ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣ ବୋଲି କହିବେ, ସେ ଦିନକୁ ଅପେକ୍ଷା କରିଛୁ।”

ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଏକାଧିକ ପଶ୍ଚିମ ଦେଶ ରୁଷ ଉପରେ କଟକଣା ଲଗାଇଛନ୍ତି। କଟକଣା ଯୋଗୁ ରୁଷରେ ଉତ୍ପାଦିତ ହେଉଥିବା ଅଶୋଧିତ ତୈଳ ଠିକ ଭାବେ ରପ୍ତାନୀ ହୋଇପାରୁନି। ଏହାର ଫାଇଦା ଉଠାଇ ଭାରତ ଶସ୍ତାରେ ରୁଷ ଠାରୁ ତେଲ ଆମଦାନୀ କରୁଛି।

nis-ad
Leave A Reply

Your email address will not be published.