ଭୁବନେଶ୍ବର ଏମ୍ସରେ ୨୦୨୩ରୁ ପେପରଲେସ ବ୍ୟବସ୍ଥା: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ଆସନ୍ତାବର୍ଷ ଠାରୁ ପେପରଲେସ୍  ବ୍ୟବସ୍ଥା ଆରମ୍ଭ ହୋଇଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାଓ଼୍ୱାର ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ଏମ୍ସରେ ପେପରଲେସ୍‌ ନିୟମ ଲାଗୁ ହେବା ଦ୍ବାରା ଚିକିତ୍ସା ସଂପର୍କିତ ସମସ୍ତ ପଞ୍ଜୀକରଣ ବ୍ୟବସ୍ଥାରେ ସଂଶୋଧନ ଆସିଯିବ। ଏମ୍ସରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ ଭିଡ଼ ଲାଗୁଥିବାରୁ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି।

ଡଃ ପାଓ଼୍ୱାର ଭୁବନେଶ୍ବର ଏମ୍ସ ଗସ୍ତରେ ଆସି ସ୍ଥିତି ଦେଖିବା ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଗୁରୁତର ରୋଗୀଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ଅନ୍ୟ ଡାକ୍ତରଖାନାରୁ ସାଧାରଣ ରୋଗୀଙ୍କୁ ମଧ୍ୟ ଏମ୍ସ  ସ୍ଥାନାନ୍ତରିତ କରାଯାଉଛି। ତେବେ ସାଧାରଣ ରୋଗୀଙ୍କୁ ଏଠାକୁ ନ ପଠାଇବା ପାଇଁ ସବୁ ହସ୍ପିଟାଲ ସହ ଆଲୋଚନା କରାଯିବ।

ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇବା ସହ ସେ କହିଛନ୍ତି, ଲୋକଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏହାକୁ ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହା ଦ୍ୱାରା ଗରିବ ଲୋକେ ୫ ଲକ୍ଷ ଟଙ୍କା ବୀମାର ସୁବିଧା ପାଇପାରିବେ। କେନ୍ଦ୍ର ସରକାର ଏମ୍‌ସର ଉନ୍ନତିକରଣ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି। ଖୁବ୍‌ଶୀଘ୍ର ଏଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ସାଟେଲାଇଟ ସେଣ୍ଟର ହେବାକୁ ଯାଉଛି। ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ରହଣି ନିମନ୍ତେ ବିଶ୍ରାମ କେନ୍ଦ୍ର ନିର୍ମାଣ ହେବ।

ଏହି ଅବସରରେ ଏମ୍ସ ପରିସରେ ଏକ ବହୁମୁଖି ଅଟ୍ଟାଳିକାକୁ କେନ୍ଦ୍ରମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ଏବଂ କ୍ୟାମ୍ପସରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଆଗମନରେ ଭୁବନେଶ୍ବର ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ସ୍ବାଗତ କରିଥିଲେ। ମେଡିକାଲ ଅଧୀକ୍ଷକ ଡ. ଏସ୍‌ଏନ୍‌ ମହାନ୍ତି, ଡିଏନ୍‌ ଡ. ପିଆର ମହାପାତ୍ର, ଡିଡିଏ ରଶ୍ମିରଂଜନ ସେଠୀ, ଏଫଏ ପିକେ ସାହୁ, ଏସ୍‌ଇ କେପି ମିଶ୍ର, କୁଳସଚିବ ବିବି ମିଶ୍ର, ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ, ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.