ସୁନ୍ଦରଗଡ଼ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ସୁନ୍ଦରଗଡ଼ : ଭିନ୍ନକ୍ଷମମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ତଥା ସାଧାରଣ ଲୋକଙ୍କ ଭଳି ସେମାନଙ୍କୁ ଅଧିକାର ଏବଂ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି। ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି।

ଏହି ଅବସରରେ ଟାଙ୍ଗରପାଲି ବ୍ଲକ ବନ୍ଧପାଲିସ୍ଥିତ ସାର୍ଥକ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇଥିବା ଅତିଥିମାନେ ଭିନ୍ନକ୍ଷମମାନଙ୍କୁ ସକ୍ଷମ ଓ ସ୍ୱାବଲମ୍ବୀ କରି ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦେଇଥିଲେ।

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବନ୍ଧ, ବକ୍ତୃତା ଏବଂ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଥକ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିବା ସହ ଏକକ ଅଭିନୟ ମଧ୍ୟ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡା ସିଂ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁଚରଣ ନାୟକ, ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ର ନୋଡାଲ ଅଫିସର ସିଏମ ଶଙ୍କର, ସାର୍ଥକ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ପ୍ରକାଶ ପଣ୍ଡା ଓ ବଧିର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗୋମତୀ ନାୟକ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ସୁନ୍ଦରଗଡ଼ ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଭିନ୍ନକ୍ଷମମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଲାଗି ସେମାନେ ଏହି ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ଆଧୁନିକ ଚିକିତ୍ସା ଏବଂ ପୁନର୍ବାସ ସେବା ଯୋଗାଇଦେବା ଲାଗି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ରୋବୋଟିକ୍ ଫିଜିଓଥେରାପି ସେବା ସହ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିବା ବ୍ୟକ୍ତିଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଉଛି।

ସେହିପରି ବିଭିନ୍ନ ଜନ୍ମଗତ ସମସ୍ୟା, କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ଏବଂ ଭିନ୍ନକ୍ଷମଙ୍କ ପାଇଁ ଅତ୍ୟାଧୁନିକ ଫିଜିଓଥେରାପି ସେବା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ତେଣୁ ହିତାଧିକାରୀଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦେବା ଲାଗି ସୁନ୍ଦରଗଡ଼ ଜିଲ୍ଲା ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥେରାପ୍ୟୁଟିକ ସେଣ୍ଟର ରହିଛି। ତା’ଛଡ଼ା ଗ୍ରାମାଞ୍ଚଳ ରୋଗୀଙ୍କ ସୁବିଧା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ରହିଛି।

nis-ad
Leave A Reply

Your email address will not be published.