ରାହୁଲ ଗାନ୍ଧି ଏବେ ସଦାମ ହୁସେନ ଭଳି ଦେଖାଯାଉଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଥିବା ତାଚ୍ଛଲ୍ୟ କରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସଦାନ ହୁସେନଙ୍କ ପରିବର୍ତ୍ତେ ନିଜର ଚେହେରାକୁ ସର୍ଦ୍ଦାର ପଟେଲ, ଜବାହରଲାଲ ନେହରୁ କିମ୍ବା ମହାତ୍ମା ଗାନ୍ଧିଙ୍କ ଭଳି କଲେ ଭଲ ବୋଲି ମଧ୍ୟ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।


କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରୁଛନ୍ତି। ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏବେ ମହାରାଷ୍ଟ୍ରରେ ପହଞ୍ଚି ଯାଇଛି। ପଦଯାତ୍ରା ସମୟରେ ଅନେକ ଲୋକ ରାହୁଲଙ୍କୁ ସମର୍ଥନ କରୁଛନ୍ତି। ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବେଳେ ରାହୁଲ ଗାନ୍ଧି ନିଜର ଦାଢ଼ି ଓ ଚୁଟି ମଧ୍ୟ ନ କାଟି ବଢ଼ାଇବାରେ ଲାଗିଛନ୍ତି। ତାଙ୍କର ଏପରି ରୂପକୁ ଦେଖି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅହମଦାବାଦରେ ପ୍ରଚାର କରିବାକୁ ଯାଇଥିବା ବିଶ୍ୱଶର୍ମା ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, “ମୁଁ ବର୍ତ୍ତମାନ ଦେଖିବାକୁ ପାଇଲି ଯେ ତାଙ୍କ(ରାହୁଲ ଗାନ୍ଧି) ଚେହେରା ବଦଳି ଗଲାଣି। ନିକଟରେ ଗୋଟିଏ ଟିଭି ଚ୍ୟାନେଲରେ ମୁଁ କହିଥିଲି ଯେ ତାଙ୍କ ନୂଆ ଲୁକ୍‌ରେ କୌଣସି ପ୍ରକାରର ଅସୁବିଧା ନାହିଁ।


କିନ୍ତୁ ଯଦି ଆପଣ ନିଜର ଲୁକ ବଦଳାଉଛନ୍ତି, ତା’ହେଲେ ଏହାକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କିମ୍ବା ନେହରୁଙ୍କ ଭଳି କରନ୍ତୁ। ଗାନ୍ଧିଜୀଙ୍କ ଭଳି ଦେଖାଗଲେ ବି ବହୁତ ଭଲ। ହେଲେ କାହିଁକି ଆପଣଙ୍କ ଚେହେରା ସଦାମ ହୁସେନଙ୍କ ଭଳି ବଦଳି ଯାଉଛି? ଏହାର କାରଣ ହେଉଛି କଂଗ୍ରେସର ସଂସ୍କୃତି ଭାରତୀୟ ଲୋକଙ୍କ ସହ ନିକଟତର ନୁହେଁ। ଯେଉଁମାନେ ଭାରତକୁ ବୁଝି ନାହାନ୍ତି, ସେମାନଙ୍କ ସଂସ୍କୃତି ସହ କଂଗ୍ରେସର ସଂସ୍କୃତି ବେଶ ନିକଟତର।”
ସେ ଆହୁରି ଦାବି କରିଛନ୍ତି ଯେ ରାହୁଲ ଗାନ୍ଧି ତାଙ୍କ ଯାତ୍ରା ବେଳେ ହିମାଚଳ ପ୍ରଦେଶ ଯାଇ ନଥିଲେ। ସେଠାରେ ନିକଟରେ ନିର୍ବାଚନ ହୋଇଥିଲା। ସେ ଗୁଜରାଟରେ ମଧ୍ୟ ନିଜ ଯାତ୍ରା କରୁ ନାହାନ୍ତି। ଯେଉଁ ରାଜ୍ୟରେ ନିର୍ବାଚନ ନାହିଁ, ସେଠାରେ ହିଁ ସେ ଫୋକସ କରୁଛନ୍ତି। କାରଣ ସେ ଜାଣିଛନ୍ତି ଯେ ସେ ଯେଉଁଠି କି ଯିବେ ସେଠାରେ କଂଗ୍ରେସ ହାରିବ।

nis-ad
Leave A Reply

Your email address will not be published.