କୋରାପୁଟ ୨୧/୧୧: ଚାକିରି କରାଇଦେବାକୁ କହି ନାବାଳକ କଲେଜ ଛାତ୍ରକୁ ଅପହରଣ ଘଟଣା । ଗଞ୍ଜେଇ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗ୍ରାମର ଜିତେନ୍ଦ୍ରିୟ ବାଗ ଗିରଫ । ରାଉକେଲାର ସେକ୍ଟର ୭ ରୁ ଗିରଫ କରିଛି କୋରାପୁଟ ଟାଉନଥାନା ପୋଲିସ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଳପଦର ଗ୍ରାମର ପବିତ୍ର ଖରାକୁ ଅପହରଣ କରି ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରୁଥିଲା ଅପହରଣକାରୀ ।
ଦାବି ମୁତାବକ ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା । ଏନେଇ ପରିବାର ଲୋକେ କୋରାପୁଟ ଟାଉନ ଥାନାରେ ଅଭିଯୋଗ ପରେ ବିଭିନ୍ନ ଦିଗରୁ ତଦନ୍ତ କରି ସାଇବର ସେଲ ସହାୟତାରେ ନାବାଳକକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିଛି ପୋଲିସ । ନାବାଳକକୁ ଅପହରଣ କରି କୋରାପୁଟରୁ ଜମ୍ମୁକାଶ୍ମୀର ନେଇଯାଇ ଏକ ନିର୍ଦ୍ଦିଷ୍ଟ ହୋଟେଲରେ ରଖିଥିଲା ଅଭିଯୁକ୍ତ ।
ତେବେ ଜମ୍ମୁକାଶ୍ମୀର ନେଇ ନାବାଳକକୁ ରଖିବା ଘଟଣାରେ ଅନ୍ୟ ସମସ୍ତ ଦିଗରୁ ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତ ପୁର୍ବରୁ ବହୁବାର ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିଥିବା ସୂଚନା । କୋରାପୁଟ ଟାଉନଥାନା ଅଧିକାରୀ ଓ ସାଇବର ସେଲ ସହାୟତାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସଡିପିଓ ।