ଦାରିଙ୍ଗବାଡ଼ି ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ, ଖସୁଛି ପାରଦ, ବଢୁଛି ଶୀତ

ଦାରିଙ୍ଗବାଡ଼ି, ୧୭/୧୧ : ଦାରିଙ୍ଗବାଡ଼ିରେ ଶୀତ ବଢି ଚାଲିଛି । ଧୀରେ ଧୀରେ ତାପମାତ୍ରା ନିମ୍ନଗାମୀ ହେବାରେ ଲାଗିଛି । ଆଜି ତାପ ମାତ୍ରା ୧୦ଡିଗ୍ରୀ ସେଲସିଅସ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ରହିଛି। ଗତ କାଲି ତାପମାତ୍ରା ୧୦.୫ ଡିଗ୍ରୀ ସେଲସିଅସ ରହିଥିବା ବେଳେ ଗତ ମଙ୍ଗଳ ବାଦିନ ୧୨ ଡିଗ୍ରୀ ସେଲସିଅସ ତାପମାତ୍ରା ରହି ଥିଲା। ଧୀର ଧୀରେ ତାପ ମାତ୍ରା ହ୍ରାସ ହେବାରେ ଲାଗିଛି। ଏଭଳି ସ୍ଥଳେ ଶୀତ ବୃଦ୍ଧି ପାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳରେ ନିଆଁର ଆଶ୍ରୟ ନେଉ ଥିବା ସୂଚନା ରହିଛି। ଗାଡ଼ିରେ ଗଲେ କିମ୍ବା ସକାଳୁ ଉଠିଲେ ଶୀତ ବସ୍ତ୍ର ନପିନ୍ଧିଲେ କୁଆଡେ ଯାଇହେଉନାହିଁ । ହାତ ଗୋଡ଼ ଥରି ଯାଉଛି । ଆଉ ଏଭଳି ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ହେଲେ ଶୀତ ଦିନ ଆସିଲେ ସଭିଙ୍କୁ ମନେ ପଡ଼େ ଦାରିଙ୍ଗବାଡ଼ି କଥା । ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ ଭାବେ ଦାରିଙ୍ଗବାଡ଼ି ବେଶ ପରିଚିତ । ଦାରିଙ୍ଗବାଡ଼ି ଯେ ଖାଲି ଓଡ଼ିଶାରେ ନିଜର ପରିଚୟ ସୃଷ୍ଟି କରିଛି ତାହା ନୁହେଁ ବରଂ ଓଡିଶା ବାହାରେ ବି ନିଜର ପରିଚୟ ସୃଷ୍ଟି କରିଛି । ପ୍ରତ୍ୟକ ବର୍ଷ ଶୀତ ଦିନ ଆସିଲେ ପ୍ରବଳ ଶୀତ ଅନୁଭୂତ ହୁଏ ଦାରିଙ୍ଗବାଡ଼ିରେ । ଏମିତି କି ତୁଷାର ପାତ ମଧ୍ୟ ହୋଇଥାଏ । ଶୀତର ମଜା ନେବା ପାଇଁ ବର୍ତମାନ ଠାରୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇ ଯାଇଛି। ଧୀରେ ଧୀରେ ଭିଡ଼ ମଧ୍ୟ ବୃଦ୍ଧି ପାଉଛି । ପର୍ଯ୍ୟଟକଙ୍କ ମଧ୍ୟରେ ବେଙ୍ଗଲି ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିଛି । କିଛି କିଛି ପର୍ଯ୍ୟଟନ ସ୍ଥଳୀରେ ବଣ ଭୋଜି ମଧ୍ୟ ଦେଖିବାକୁ ମିଳୁଛି। ଧୀରେ ଧୀରେ ସଜେଇ ହେଉଛି ପର୍ଯ୍ୟଟନ ସ୍ଥଳୀ । ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ, ନେଚର ପାର୍କ, କଫି ବଗିଚା,ଦାସିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳ ପ୍ରପାତ, କିରୀକୁଟିର ଲଭର୍ସ ପଏଣ୍ଟ,ଏମୁ ପକ୍ଷୀ ପାର୍କ, ଗ୍ରୀନବାଡ଼ିର ସନସେଟ ପଏଣ୍ଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି। ଶୀତ ଯୋଗୁଁ ଲୋକଙ୍କ ପ୍ରାତଃ ଭ୍ରମଣ ବାହାରିବା କଷ୍ଟ ହେବା ସହ ଚା ଦୋକାନରେ ଭିଡ଼ ଜମାଉଛନ୍ତି। ଅନ୍ୟ ପଟେ ଡିସେମ୍ବର ପ୍ରଥମ ସପ୍ତାହ ସୁଧା ଇକୋ ରିଟ୍ରିଟ ଆରମ୍ଭ ହେବା ନିମନ୍ତେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

nis-ad
Leave A Reply

Your email address will not be published.