ଆଇସିସି ରାଙ୍କିଙ୍ଗ: ଶୀର୍ଷରେ ସୂର୍ଯ୍ୟ କୁମାର କାଏମ, ରୁସୋଙ୍କୁ ବଡ଼ ଫାଇଦା

ଦୁବାଇ: ଟି-୨୦ ବିଶ୍ୱକପ ଶେଷ ହେବା ପରେ ଆଜି ଆଇସିସି ପକ୍ଷରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ରାଙ୍କିଙ୍ଗ ତାଲିକା ଜାରି କରାଯାଇଛି। ଚଳିତ ବିଶ୍ୱକପରେ ଦମଦାର ବ୍ୟାଟିଂ କରିଥିବା ଭାରତର ସୂର୍ଯ୍ୟ କୁମାର ଏହି ରାଙ୍କିଙ୍ଗରେ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି।
ଇଂଲଣ୍ଡ ବିପକ୍ଷ ସେମିରେ ସେ ମାତ୍ର ୧୪ ରନ କରିଥିବାରୁ ତାଙ୍କ ପଏଣ୍ଟ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ସେ ୮୫୯ ପଏଣ୍ଟ ସହ ଏବେ ବି ୧ନଂ ସ୍ଥାନରେ ରହିଛନ୍ତି। ପୂର୍ବରୁ ତାଙ୍କ ପଏଣ୍ଟ ସଂଖ୍ୟା ୮୬୯ ଥିଲା।
ସୁପର ୧୨ରେ ସୂର୍ଯ୍ୟ କୁମାର ୩ଟି ଅର୍ଦ୍ଧଶତକ ସଲ କରିବା ସହ ପୂରା ବିଶ୍ୱକପରେ ମୋଟ ୨୩୯ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୯.୭୫ ଓ ଷ୍ଟ୍ରାଇକ ରେଟ ୧୮୯.୬୮ ରହିଛି।
ସେହିପରି ଇଂଲଣ୍ଡର ଓପନର ଆଲେକ୍ସ ହିଲ୍ସ ବ୍ୟାଟିଂ ରାଙ୍କିଙ୍ଗର ୨୨ଟି ସ୍ଥାନ ଉପକରୁ ଉଠି ୧୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତ ବିପକ୍ଷ ବିଶ୍ୱକପ ସେମି ଫାଇନାଲରେ ହେଲ୍ସ ୪୭ ବଲରେ ଅପରାଜିତ ୮୬ ରନର ଇନିଂସ ଖେଳିଥିଲେ। ସେ ଇଂଲଣ୍ଡ ପାଇଁ ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ।
ଦକ୍ଷିଣ ଆଫ୍ରିକାର ରିଲି ରୁସୋ ମଧ୍ୟ ଟପ୍‌ ଟେନରେ ପ୍ରବେଶ କରିଛନ୍ତି। ସେ ରାଙ୍କିଙ୍ଗର ୭ମ ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ୭ମ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡର ଗ୍ଲେନ ଫିଲିପ୍ସ ୮ନଂକୁ ଖସିଯାଇଛନ୍ତି। ରୁସୋ ବିଶ୍ୱକପ ସୁପର ୧୨ର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ।

ନ୍ୟୁଜିଲ୍ୟାଣ୍ତ ବିପକ୍ଷ ସେମି ଫାଇନାଲରେ ଅର୍ଦ୍ଧଶତକ ହାସଲ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଗୋଟିଏ ସ୍ଥାନ ଉପରକୁ ଉଠି ୩ ନଂ ସ୍ଥାନ ଦଖଲ କରିଛନ୍ତି। ସୂର୍ଯ୍ୟ କୁମାର ଓ ବାବରଙ୍କ ବ୍ୟତୀତ ଟପ ୫ରେ ପାକିସ୍ତାନର ମହମ୍ମଦ ରିଜୱାନ, ନ୍ୟୁଜିଲ୍ୟାଣ୍ଡର ଡେଭନ କନୱେ ଓ ଏଡେନ ମାର୍କମ ରହିଛନ୍ତି। ରିଜୱାନ ଓ ମାର୍କମ ଯଥାକ୍ରମେ ୨ନଂ ଓ ୫ନଂ ସ୍ଥାନରେ ପୂର୍ବଭଳି ଥିବା ବେଳେ କନୱେ ଗୋଟିଏ ସ୍ଥାନ ତଳକୁ ଖସି ୪ନଂରେ ରହିଛନ୍ତି।

ବୋଲିଂ ରାଙ୍କିଙ୍ଗରେ ସେତାଟା ପରିବର୍ତ୍ତନ ହୋଇନାହିଁ। କିନ୍ତୁ ଭାରତ ବିପକ୍ଷ ସେମି ଓ ପାକିସ୍ତାନ ବିପକ୍ଷ ଫାଇନାଲରେ ଦମଦାର ବୋଲିଂ କରିଥିବା ଇଂଲଣ୍ଡର ଆଦିଲ ରଶିଦଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ୫ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୩ନଂରେ ପହଞ୍ଚିଛନ୍ତି।

ଫାଇନାଲ ମ୍ୟାଚ୍‌ରେ ମ୍ୟାନ ଅଫ ଦି ମ୍ୟାଚ୍‌ ଓ ଟି-୨୦ ବିଶ୍ୱକପରେ ମ୍ୟାନ ଅଫ ଦି ସିରିଜ ପାଇଥିବା ସାମ କୁରାନ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ଏବେ ସେ ବୋଲିଂ ରାଙ୍କିଙ୍ଗର ୫ମ ସ୍ଥାନରେ ରହିଛନ୍ତି। ପୂର୍ବଭଳି ଶ୍ରୀଲିଙ୍କାର ୱାନିନ୍ଦୁ ହସରଙ୍ଗା ୧ନଂ ସ୍ଥାନରେ ଓ ଆଫଗାନିସ୍ତାନର ରଶିଦ ଖାନ ୨ନଂ ସ୍ଥାନରେ ରହିଛନ୍ତି।

ଅଲରାଉଣ୍ଡର ତାଲିକାର ପ୍ରଥମ ୩ଟି ସ୍ଥାନରେ ଯଥାକ୍ରମେ ସାକିବ ଅଲ ହାସନ, ମହମ୍ମଦ ନବି ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି।

nis-ad
Leave A Reply

Your email address will not be published.