ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଭାରତୀୟମାନଙ୍କ ପାଇଁ ୩୦୦୦ ବ୍ରିଟିସ୍‌ ଭିସା ମଞ୍ଜୁର କଲେ ଋଷି ସୁନକ୍‌

ଲଣ୍ଡନ୍‌: ବ୍ରିଟେନ୍‌ରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଗୃହୀତ କରିଛନ୍ତି।

ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍‌ସିପ୍‌’ ରାଜିନାମାର ସାମର୍ଥ୍ୟ ଉପରେ ଗୁରୁତ୍ବାରୋପ କରି ବ୍ରିଟିସ୍‌ ସରକାର କହିଛନ୍ତି, ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍‌ନାଲ୍‌’ ଦେଶ।
ଟୁଇଟ୍‌ କରି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଆଜି ‘ୟୁକେ-ଇଣ୍ଡିଆ ୟଙ୍ଗ୍‌ ପ୍ରଫେସ୍‌ନାଲ୍‌ ସ୍କିମ୍’ ସୁନିଶ୍ଚିତ କରାଗଲା। ଇଂଲଣ୍ଡ୍‌କୁ ଆସି ୨ ବର୍ଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବା ଲାଗି ୧୮ରୁ ୩୦ ବର୍ଷ ବୟସ୍କ ଡିଗ୍ରି-ଏଡୁକେଟେଡ୍‌ ଭାରତୀୟ ନାଗରିକମାନଙ୍କୁ ୩୦୦୦ ନିଯୁକ୍ତି ମିଳିବ।
ଉଲ୍ଲେଖଯୋଗ୍ୟ, ‘ଜି୨୦ ଶିଖର ସମ୍ମିଳନୀ’ର ୧୭ଶ ଅଧିବେଶନ ଅବସରରେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କିଛି ସମୟ ପରେ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ ଉପରୋକ୍ତ ଘୋଷଣା କରାଯାଇଛି। ଗତମାସରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ।

ଟୁଇଟ୍‌ କରି ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି, ବାଲିରେ ‘ଜି୨୦ ଶିଖର ସମ୍ମିଳନୀ’ର ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷି ସୁନକ୍‌ ଆଳାପ କରୁଛନ୍ତି।

nis-ad
Leave A Reply

Your email address will not be published.