ବାଲି ହେନ୍ତାଳବନରେ ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ଜି୨୦’ର ଅନ୍ୟାନ୍ୟ ନେତା

ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ‘ତାମାନ ହୁତାନ ରାୟା ନୁରା ରାଇ’ ହେନ୍ତାଳବନକୁ ଯାଇ ହେନ୍ତାଳ ଚାରା ରୋପଣ କରିଛନ୍ତି।
ରୋପଣ ନିମନ୍ତେ ପ୍ରତି ନେତାଙ୍କୁ ଗୋଟିଏ ଲେଖାଏଁ ହେନ୍ତାଳ ଚାରା ଦିଆଯାଇଥିଲା। ଏହା ପରେ ନେତାମାନେ ଚାରା ଥିବା ‘ଫିଡ୍‌ ବ୍ୟାଗ୍‌’ ଏବଂ ଚାରା ପାଇଁ ଗାତ ଖୋଳାଯିବା ଆଦି ବିଷୟରେ ଦିଆଯାଇଥିବା ନିର୍ଦେଶାବଳି ଅଧ୍ୟୟନ କରି ଚାରା ରୋପଣ କରିଥିଲେ।
ହେନ୍ତାଳବନର ବୃକ୍ଷର ପ୍ରକାର ଭେଦ ଓ ସେମାନଙ୍କ ପରମାୟୁ ବିଷୟରେ ନେତାମାନେ ଶୁଣିଥିଲେ। ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ଉପସ୍ଥାପନା ଶୁଣି ଶୁଣି ଯାଉଥିବା ବ‌େଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖେ ପାଖେ ଚାଲୁଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌। ସେ ବନରେ ୧୫୦ ପ୍ରକାରର ହେନ୍ତାଳ ବୃକ୍ଷ ରହିଛି ଓ ସେଥିରୁ କେତେକ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା କଥା ସେ କହିଥିଲେ।

ହେନ୍ତାଳବନରେ ଥିବା ବୃକ୍ଷ ଓ ଗୁଳ୍ମ ଆଦି ସଂରକ୍ଷଣ କରିବା ପାଇଁ ଏହା ଥିଲା ଇଣ୍ଡୋନେସିଆ ସରକାରଙ୍କର ପ୍ରଚେଷ୍ଟା ପ୍ରଦର୍ଶନର ଅଂଶବିଶେଷ। ଶିଖର ସମ୍ମିଳନୀର ଦ୍ବିତୀୟ ଦିବସର ଚୂଡ଼ାନ୍ତ ଅଧିବେଶନ ଆରମ୍ଭ ପୂର୍ବରୁ ‘ଜି୨୦’ର ନେତାମ‌ାନେ ହେନ୍ତାଳବନ ପରିଦର୍ଶନ କରିଛନ୍ତି। ଆଜିର ଚୂଡ଼ାନ୍ତ ଅଧିବେଶନ ଜଳବାୟୁ ପରିବର୍ତ୍ତନ ସଂକଟ ଓ ଜୀବାଶ୍ମ ଉତ୍ସରୁ ଶକ୍ତି ଉତ୍ପାଦନ ଭଳି ବୈଶ୍ବିକ ଆହ୍ବାନ ଭଳି ସମସ୍ୟା ଉପରେ ପର୍ଯ୍ୟବେଶଣ କରାଯିବ।

ସୂଚନାଯୋଗ୍ୟ, ନିକଟ ଅତୀତରେ ଭାରତ ଇଣ୍ଡୋନେସିଆ ଓ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ର ମିଳିତ ଉପକ୍ରମ ‘ମ୍ୟାଗ୍ରୋଭ୍‌ ଆଲିଏନ୍ସ୍‌ ଫର୍‌ କ୍ଲାଇମେଟ୍‌’ ରେ (ଏମ୍‌ଏସି) ଯୋଗ ଦେଇଛି।
ଭାରତରେ ୫୦୦୦ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୫୦ରୁ ଅଧିକ ପ୍ରଜାତିର ହେନ୍ତାଳବନରେ ଉଠୁଥିବା ବୃକ୍ଷ ଓ ଗୁଳ୍ମ ଦେଖାଯାଏ। ଜୈବବିବିଧତାର ସମୃଦ୍ଧ ସ୍ଥାନ ଏବଂ ଅଙ୍ଗାରକାମ୍ଳ ବାଷ୍ପ ବିଶୋଷଣ କରିବାରେ ବିଶେଷ ଫଳପ୍ରଦ ଏହି ବନଷ୍ପତିର ସୁରକ୍ଷା ଓ ପୁନରୁଦ୍ଧାର ଉପରେ ଭାରତ ଗୁରୁତ୍ବ ଦେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।
ଏହା ହେଉଛି ତଟବର୍ତ୍ତୀ ଜୈବବିବିଧତାର ଗୁରୁତ୍ବପୂର୍ଣ୍ଣ ନିରାପଦ ଆଶ୍ରୟସ୍ଥଳ ଏବଂ ଜଳବାୟୁଜନିତ ଦୁର୍ବିପାକ ବିରୋଧରେ ଏହା ଜୈବ-ସୁରକ୍ଷା ଭାବେ କାର୍ଯ୍ୟ କରେ।

ପ୍ରଧାନମନ୍ତ୍ରୀ ମୋଦୀ ‘ଜି୨୦ ଶିଖର ସମ୍ମିଳନୀ’କୁ ଯିବା ଆଗରୁ ବୈଦେଶିକ ସଚିବ ବିନୟ କ୍ବାତ୍ରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବିଶ୍ବର ଅନ୍ୟତମ ଜୈବବିବିଧତା, ଭାରତର ହେନ୍ତାଳବନର ବ୍ୟାପ୍ତି ଉଲ୍ଲେଖଯୋଗ୍ୟ। ‘ଗ୍ଲୋବାଲ୍‌ ମ୍ୟାଗ୍ରୋଭ୍‌ ଆଲିଏନ୍‌ସ୍‌’ରେ ଯୋଗ ଦେବା ପାଇଁ ନିକଟ ଅତୀତରେ ଆମେ ରାଜି ହୋଇଛୁ।

ସୂଚନାଯୋଗ୍ୟ, ଆଜି ବାଲିରେ ସମାବର୍ତ୍ତନ ବେଳେ ଇଣ୍ଡୋନେସିଆ ଭାରତକୁ ‘ଜି୨୦ ଶିଖର ସମ୍ମିଳନୀ’ର ଅଧ୍ୟକ୍ଷତା ସମର୍ପଣ କରିବ।

nis-ad
Leave A Reply

Your email address will not be published.