ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ଲୋଭ, ବନ୍ଧା ହେଲେ ଦମ୍ପତି

କାମାକ୍ଷାନଗର: ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ହାତେଇବା ଲୋଭ । ଜାଲ ସାର୍ଟିଫିକେଟ ଦେଇ ଚାକିରି ପାଇବା ପାଇଁ ଚଳାଇଥିବା ସବୁ କସରତ ପାଣି ଫୋଟକା ପରି ମିଳାଇଗଲା। ସତ ଧରା ପଡ଼ିବା ପରେ  ଅଙ୍ଗନୱାଡି ଚାକିରି  ପାଇଁ ଆବେଦନ କରିଥିବା ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ବି ବନ୍ଧା ହେଲେ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୁରୁଜାଙ୍ଗୁଲି ଗାଁରେ ଦେଖିବାକୁ ମିଳିଛି । ଗିରଫ ଦମ୍ପତି ହେଲେ ଅପରାଜିତା ସାହୁ ଓ ତାଙ୍କ ସ୍ୱାମୀ ବରୁଣ ସାହୁ ।

ଗୁରୁଜାଙ୍ଗୁଲି ଗାଁରେ ଅଙ୍ଗନୱାଡି  କର୍ମୀ ନିଯୁକ୍ତି ପାଇଁ ଗତ ଜୁନ ମାସ ୨୨ତାରିଖରେ କଙ୍କଡାହାଡ଼ ଶିଶୁ ସମନ୍ୱିତ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି ହୋଇଥିଲା । ଫଳରେ ଏହି ପଦବୀ ନିମନ୍ତେ ଅପରାଜିତାଙ୍କ ସମେତ ବହୁ ଆବେଦନକାରୀ ଅନଲାଇନ୍‌ରେ ଆବେଦନ କରିଥିଲେ ।  ସିଲେକସନ୍‌ କମିଟି ଦ୍ୱାରା ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବା ବେଳେ ଅପରାଜିତାଙ୍କ ମାଟ୍ରିକ ସାର୍ଟିଫିକେଟକୁ ନେଇ ସନ୍ଦେହ ସୃଷ୍ଟି ହେଲା। ତେଣୁ ସେ ମାଟ୍ରିକ ପଢ଼ିଥିବା ପଙ୍ଗାତିରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ତାଙ୍କ ମାର୍କସିଟ୍‌ ମଗାଯାଇଥିଲା।

ଏହାପରେ ଅପରାଜିତା ଦେଇଥିବା ମାର୍କସିଟ୍‌ ଜାଲ୍‌ ବୋଲି ଜଣାପଡ଼ିଲା। କାରଣ ତାଙ୍କର ପ୍ରକୃତ ମାର୍କ ବହୁତ କମ୍‌ ଥିବା ବେଳେ ସେ ଦେଇଥିବା ଡକ୍ୟୁମେଣ୍ଟକୁ ଜାଲ୍‌ କରି ତାହାକୁ ବଢ଼ାଇ ଦେଇଥିଲେ। ତେଣୁ ସେ ଫେକ୍‌ ମାର୍କଲିଷ୍ଟ ଓ ସାର୍ଟିଫିକେଟ ତିଆରି କରି ପଦବୀ ହାତେଇବାକୁ ଯୋଜନା କରିଥିବା ଧରା ପଡିଥିଲା ।

ଏହାକୁ ନେଇ କଙ୍କଡ଼ାହାଡ଼ ସିଡିପିଓ ଅପରାଜିତାଙ୍କ ନାମରେ କଙ୍କଡ଼ାହାଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହାକୁ ଭିତ୍ତି କରି କଙ୍କଡାହାଡ଼ ପୁଲିସ ଅପରାଜିତା ଏବଂ ନକଲି ସାର୍ଟିଫିକେଟ ଯୋଗାଇଥିବା ତାଙ୍କ ସ୍ୱାମୀ ବରୁଣ ସାହୁଙ୍କୁ ଗିରଫ କରିଛି ।

ଏ ନେଇ ସ୍ପଷ୍ଟୋକ୍ତି ରଖି ସିଲେକ୍ସନ କମିଟିର ଚେୟାରମ୍ୟାନ ତଥା କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ  କହିଛନ୍ତି, ସିଲେକ୍ସନ କମିଟି ଦ୍ୱାରା ଯାଞ୍ଚ ବେଳେ ଅପରାଜିତାଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ସୃଷ୍ଟି ହେଲା। ଏହା ଜାଲ ସାର୍ଟିଫିକେଟ ବୋଲି ସ୍ପଷ୍ଟ ହେବା ପରେ ଅପରାଜିତା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

nis-ad
Leave A Reply

Your email address will not be published.