ଲୋକ କଳା ହିଁ ଆମ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଦୁଇ ଦିନିଆ ଲୋକ କଳା ମହୋତ୍ସବ “ଆମ ଅସ୍ମିତା :ଆମ ଲୋକକଳା” କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରକାଶମ୍ ହଲ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ସଂଘ ସଭାପତି ତଥା ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କଳାକାର ରାଜେନ୍ଦ୍ର ମୋହନ ପତି ଉଦ୍ଘାଟନ କରିବା ସହ କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ବୋଲି ମତବ୍ୟକ୍ତ କରିଥିଲେ । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକକଳା ଗଞ୍ଜାମର ଆତ୍ମା, ଏହାର ବିକାଶ ଓ ସଂରକ୍ଷଣ ପ୍ରତି ଆମକୁ ସଚେତ ରହିବାକୁ ପରାମର୍ଶ ଦେଇଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକ ନାଟ୍ୟ ଦଳଙ୍କୁ ସଂଘ ପକ୍ଷରୁ ଅଂଶ ଗ୍ରହଣ ପ୍ରମାଣ ପତ୍ର ଅତିଥିମାନେ ପ୍ରଦାନ କରିଥିଲେ । ଶଙ୍କର୍ଷଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିଭଳି ସନ୍ଧ୍ୟା ଅଧିବେଶନ ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରାକ୍ତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ଏସ ଏମ ଆଇ ଟି ସଭାପତି ଡଃ ଭଗବାନ ଗନ୍ତାୟତ, ସମାଜସେବୀ ଦଳେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ରାଜସ୍ବ ସହାୟକ ଅଶ୍ଵିନୀ କୁମାର ବେହେରା, ନାଟ୍ୟ ନିର୍ଦ୍ଦେଶକ ରାମ ଚନ୍ଦ୍ର ସାସମଲ, ବରିଷ୍ଠ ଅଭିନେତା ନୃସିଂହ ପ୍ରସାଦ ପଣ୍ଡା ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ କଳାକାର ସଂଘର ଅଙ୍ଗିକରବଦ୍ଧତା ଓ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ । ଆଆଜିକାର କାର୍ଯ୍ୟକ୍ରମରେ ଭାରତ ଲୀଳା, ରାମ ନାଟକ, ରାମ ଲୀଳା, ଢୁମ୍ପା, ଗାହାଣ, ପାଲା, ଦାସକାଠିଆ, ମୃଦଙ୍ଗମ୍, ସଙ୍କୀର୍ତ୍ତନ ଆଦି ପରିବେଷିତ ହୋଇଥିଲା ।

nis-ad
Leave A Reply

Your email address will not be published.