ହିନ୍ଦୀ ଭାଷାରେ ଇଂଜିନିୟରିଂ ପଢି ଇଂଜିନିୟର ହେବାକୁ ଚାହୁନାହାଁନ୍ତି ଛାତ୍ରଛାତ୍ରୀ

ଭୋପାଳ: ହିନ୍ଦୀ ଭାଷାରେ ଇଂଜିନିୟରିଂ ପଢି ଇଂଜିନିୟର ହେବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି ଛାତ୍ରଛାତ୍ରୀ | ଆଞ୍ଚଳିକ ଭାଷାରେ ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ପାଇଁ ସରକାର ପ୍ରୟାସ କରୁଥିବାବେଳେ ଏଥିପ୍ରତି କିନ୍ତୁ ଛାତ୍ରଛାତ୍ରୀଙ୍କର ସେତେ ଉତ୍କଣ୍ଠା ଥିବାର ପରିଲକ୍ଷିତ ହେଉନାହିଁ | ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ହିନ୍ଦୀ ଭାଷା ମାଧ୍ୟମରେ ଅଧ୍ୟୟନ କରିବାକୁ ମୋଟ ୨୦୦ଟି ସିଟ୍ ସଂରକ୍ଷିତ ଥିବାବେଳେ ଏପର୍ଯ୍ୟନ୍ତ କେବଳ ୨୦ ଜଣ ପିଲା ଆଡମିଶନ ନେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ହିନ୍ଦୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ ହିନ୍ଦୀରେ ଏମବିବିଏସ ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା, କିନ୍ତୁ ଛାତ୍ରଛାତ୍ରୀମାନେ ହିନ୍ଦୀରେ ପଢିବାକୁ ଆଗ୍ରହୀ ନୁହଁନ୍ତି।

ଆଉ ସ୍ଥିତି ଏମିତି ହୋଇଛି ଯେ କଲେଜଗୁଡ଼ିକରେ ହିନ୍ଦୀ ଭାଷାରେ ଅଧ୍ୟୟନ ପାଇଁ ଆସନ ସଂରକ୍ଷିତ ରଖାଯାଇଥିଲେ ମଧ୍ୟ ଯେଉଁଥିରୁ ୯୦ ପ୍ରତିଶତ ଆସନରେ କେହି ଆଡମିଶନ ନେଇନାହାଁନ୍ତି। ଫଳସ୍ୱରୂପ, ରାଜ୍ୟ ସରକାରଙ୍କ ଏହି ଯୋଜନା ଫେଲ ହେବାକୁ ବସିଛି | ହିନ୍ଦୀରେ ଇଞ୍ଜିନିୟରିଂ କରିବା ପାଇଁ ଆଡ଼ମିସନ ନେଇଥିବା ୨୦ ଜଣ ଛାତ୍ରଙ୍କ ମଧ୍ୟରୁ ୧୯ ଜଣ ଛାତ୍ର କମ୍ପ୍ୟୁଟର ସାଇନ୍ସ ଏବଂ ଜଣେ ଛାତ୍ର ବାୟୋମେଡିକାଲ ଇଞ୍ଜିନିୟରିଂ ବିଷୟ ବାଛିଛନ୍ତି। ଛାତ୍ରମାନଙ୍କ କହିବା ଅନୁଯାୟୀ ହିନ୍ଦୀରେ ଇଞ୍ଜିନିୟରିଂ ପଢିବା ଦ୍ୱାରା ଆଦୌ ବୁଝାପଡୁ ନାହିଁ। ଇଂରାଜୀର ସାଧାରଣ ଏବଂ ସରଳ ଶବ୍ଦଗୁଡିକୁ ହିନ୍ଦୀରେ କଠିନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି | ଜଣେ ଛାତ୍ର କହିଛନ୍ତି ଯେ ଇଞ୍ଜିନିୟରିଂ କରିବା ପାଇଁ ହିନ୍ଦୀ ଭାଷାକୁ ବାଛିଥିଲେ ବି ପାଠ ସରିବା ପରେ କଣ ହେବ ତାହାକୁ ନେଇ ଚିନ୍ତା ଘାରିଛି | ବିଶେଷ କରି ହିନ୍ଦୀରେ ପଢିବା ପରେ ଚାକିରି ମିଳିବ ନା ନାହିଁ ତାହାକୁ ନେଇ ସଂଶୟ ରହିଛି |

nis-ad
Leave A Reply

Your email address will not be published.