ଲୋକସେବା ଭବନରେ ମାଣ୍ଡିଆ ଦିବସ ପାଳିତ, ଭର୍ଚୁଆଲରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୦/୧୧: ଆଜି ଲୋକସେବା ଭବନରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ । ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ମାଣ୍ଡିଆ ସଂଗ୍ରହ କରାଯାଉଛି ।

ମିଲେଟ ମିଶନରେ ୨୦୩୬ ମସିହା ପର୍ଯ୍ୟନ୍ତ ୨୦୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ପୁଷ୍ଟିଶସ୍ୟ ଖାଦ୍ୟର ପ୍ରଚାର ପ୍ରସାର ସହିତ ମାଣ୍ଡିଆ ଚାଷ କରିବା ମିଲେଟ ମିଶନର ଲକ୍ଷ୍ୟ। ୧୫ ଟି ଜିଲ୍ଲାରେ ପିଡ଼ିଏସ ମାଧ୍ୟମରେ ସରକାର ମାଣ୍ଡିଆ ଯୋଗାଉଛନ୍ତି । ରାଜ୍ୟ ସରକାରଙ୍କ ମିଲେଟ ମିଶନକୁ କେନ୍ଦ୍ର ସରକାର ଭୁରିଭୁରି ପ୍ରଶଂସା କରିଥିବା ବେଳେ ଏହାକୁ ଜାତିସଂଘର ମାନ୍ୟତା ମିଳିଛି।

ମାଣ୍ଡିଆ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା, ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ। ମିଲେଟ ମିଶନ ସରକାରଙ୍କ ଯୋଜନା ଏବଂ ଏହା ଲୋକଙ୍କ ହିତ ଦିଗରେ କାର୍ଯ୍ୟ କରୁଛି । ମାଣ୍ଡିଆ ଦିବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଗରିବ ଲୋକଙ୍କ ଉନ୍ନତି ସହ ଲୋକଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇଵା ମିଲେଟ ମିଶନର ଲକ୍ଷ୍ୟ । ଆଗରୁ ୧୯ଟି ଜିଲ୍ଲାରେ ଏହି ମିଶନ୍‌ କାର୍ଯ୍ୟ କରୁଥିଲା । କିନ୍ତୁ ଏବେ ରାଜ୍ୟର ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ମିଶନ୍‌ରେ ୨ ଲକ୍ଷ ଚାଷୀଙ୍କ ସହ ୧୨ଶହ ମିଶନ ଶକ୍ତି ଗ୍ରୁପ ସାମିଲ ହୋଇଛନ୍ତି।

nis-ad
Leave A Reply

Your email address will not be published.