ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ ଘଟଣା, ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ଗିରଫ

ଭୁବନେଶ୍ୱର ୦୬।୧୧ : ପୁଲିସ ସବ୍‌ଇନ୍ସପେକ୍ଟର ଚାକିରି ନାଁରେ ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ପୁଣି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଡୁମେଇପୁଗର ଗାଁର ଜୟନ୍ତ ଓରଫ ବୁବୁ (୩୨) । ଜୟନ୍ତ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ଲକ୍ଷ ଲକ୍ଷ ଟଙ୍କା ଠକିବା ପରେ ଚାକିରି ଛାଡି ରାଜ୍ୟ ବାହାରକୁ ପଳାଇଥିଲେ । ଏବେ ଇଓଡବ୍ଲ୍ୟୁର ଅଧିକାରୀମାନେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା) ପଠାଯାଇଛି ।

ଖବର ଅନୁଯାୟୀ, ୨୦୨୧ ଅକ୍ଟେବରରେ ବାଦଲ କୁମାର ରାଉଳ ନାମକ ଜଣେ ଯୁବକଙ୍କ ସହ ଅନ୍ୟ ୩୭ଜଣ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇ ସାଂଘାତିକ ଅଭିଯୋଗ ଆଣିଥିଲେ । ଏତଲାରେ ର୍ଦଶାଇଥିଲେ, ସିପିଏସ୍‌ଇ ୨୦୧୩ରେ ଯୁଗ୍ମ ପୁଲିସ ପରୀକ୍ଷା ସେବା (ସବ୍‌ଇନ୍ସପେକ୍ଟର, ସରର୍ଜାଣ୍ଟ ଓ ଡେପୁଟି ସୁବେଦାର) ପଦବି ପାଇଁ ପରୀକ୍ଷା ହୋଇଥିଲା । ୨୦୧୬ ଡିସେମ୍ବରରେ ଏହାର ଚୂଡାନ୍ତ ମେଧାବୀ ତାଲିକା ପ୍ରକାଶ ପାଇଥିଲା । ୩୮ ଜଣ ତାଲିକାରେ ନାମ ନଥିଲା । ଏହି ୩୮ ଜଣ ବିଭିନ୍ନ ଆଡେ ଯାଇ କ’ଣ ପାଇଁ ତାଲିକାରେ ସେମାନଙ୍କ ନାଁ ନାହିଁ ସେ ବିଷୟରେ ପଚାରିଥିଲେ । ହେଲେ ଉତ୍ତର ପାଉନଥିଲେ । ଏହି ସମୟରେ ଠକ ଜୟନ୍ତ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାଁର ବୈକୁଣ୍ଠନାଥ ନାୟକ, ଭୀମଶେନ ମହାରଣା ଓ ଅନ୍ୟ ଜଣେ ଯୁବକଙ୍କ ଏମାନଙ୍କ ଲୁଟିବାକୁ ଯୋଜନା କରିଥିଲେ ।

ତେବେ ଜୟନ୍ତ ମନ୍ତ୍ରୀଙ୍କ ପିଏ, ବୈକୁଣ୍ଠ ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଓ ଭୀମଶେନ ନିଜକୁ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇଥିଲେ ସେମାନଙ୍କ ଆଲୋଚନା କରିଥିଲେ । ଏମିତିକି ବିଶ୍ୱାସ ଜନ୍ମେଇବା ପାଇଁ ନକଲି ଆଇକାର୍ଡ ଦେଖାଇଥିଲେ । ୩୮ ଜଣଙ୍କ ଅଳ୍ପ କିଛି ମାର୍କ କମ୍‌ ରହିଛି । ଜଣଙ୍କ ପିଛା ପ୍ରାୟ ୫ରୁ ୬ ଲକ୍ଷ ଟଙ୍କା ଦେଲେ, ଦ୍ୱିତୀୟ ତାଲିକାରେ ବାହାର କରିଦେବୁ । ଏମିତି ଲୋଭ ଦେଖାଇ ୨୦୨୦ ମେ’ରୁ ନଭେମ୍ବର ମଧ୍ୟରେ ୧ କୋଟି ୪୭ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଏହାପରେ ଫେରାର ହୋଇଥିଲେ । ଦୀର୍ଘ ଦିନପରେ ଏମାନେ ଜାଣିବାକୁ ପାଇଥିଲେ କି ଠକାମିର ଶିକାର ହୋଇଛନ୍ତି । ଏନେଇ ସେମାନେ ଥାନାରେ ଏତଲା ଦେଇଥିଲେ ।

ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ବୈକୁଣ୍ଠ ଓ ଭୀମସେନଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । ଏହାପରେ ଜୟନ୍ତ ଫେରାର ହୋଇଥିଲେ । ଦୀର୍ଘ ଦିନ ରାଜ୍ୟ ବାହାରେ ବୁଲିବା ପରେ ଗତ ମାସରେ ସେ ଗାଁକୁ ଆସିଥିଲେ । ଏନେଇ ଇଓଡବ୍ଲ୍ୟୁକୁ ଖବର ମିଳିବା ପରେ ତାକୁ ଗିରଫ କରିଥିଲେ । ତେବେ ଏବେ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି ଭିଜିଲାନ୍ସ ପଞ୍ଝାରେ ପଡିଥିବା ଏସ୍‌ଏସ୍‌ସିଇ ବରିଷ୍ଠ କର୍ମଚାରୀ ବିରି ନାରାୟଣ ସାହୁଙ୍କ ଲିଙ୍କ୍‌ ରହିଛି । ସେ ଦିଗକୁ ନେଇ ତଦନ୍ତ କରାଯିବ ।

ସୂଚନା ମୁତାବକ, ଜୟନ୍ତ ପ୍ରଥମେ ଭୋଗରାଇର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସ, ପୂର୍ବତନ ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଏବଂ ଏବେର ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଡ୍ରାଇଭର ଥିଲେ । ଟଙ୍କା ଠକିବା ପୂର୍ବରୁ ମଧ୍ୟ ଜଣେ ମନ୍ତ୍ରୀଙ୍କ ପାଖରେ କାମ କରୁଥିଲେ ।

nis-ad
Leave A Reply

Your email address will not be published.