୬ ବର୍ଷରେ ସୂଚନା କମିସନଙ୍କ ବ୍ୟୟ ୯୧% କମିଛି

ନୂଆଦିଲ୍ଲୀ : ଦେଶରେ ସୂଚନା ଅଧିକାର ଆଇନ ଅଧୀନରେ ପ୍ରଶ୍ନ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୬ ବର୍ଷ ମଧ୍ୟରେ ସୂଚନା ଅଧିକାର ଆଇନ ଅଧୀନରେ ମିଳିଥିବା ପ୍ରଶ୍ନସଂଖ୍ୟା ୪୫.୭ ପ୍ରତିଶତ ବୃଦ୍ଧି ଘଟି ୨୦୨୦-୨୧ ଆର୍ଥିକ ବର୍ଷରେ ୧.୩୩ ନୟୁତରେ ପହଞ୍ଚିଛି। କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କ ବାର୍ଷିକ ରିପୋର୍ଟ ୨୦୨୦-୨୧ରୁ ଏହା ଜଣାଯାଇଛି। କିନ୍ତୁ ଏହି ସମୟ ମଧ୍ୟରେ ସୂଚନା ଅଧିକାର ଆୟୋଗକୁ ପ୍ରଦାନ କରାଯାଇଥିବା ବଜେଟ୍ ରାଶି ହ୍ରାସ ପାଇଛି।

୨୦୧୬-୧୭ ତୁଳନାରେ ସୂଚନା ଅଧିକାର ଆୟୋଗର ବ୍ୟୟ ଅଟକଳ ୮୨.୭ ପ୍ରତିଶତ ହ୍ରାସ ଘଟିଛି। ୨୦୧୬-୧୭ରେ ବ୍ୟୟ ଅଟକଳ ୩୧.୯ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୫.୫ କୋଟିକୁ କମିଛି ବୋଲି ବଜେଟ୍ ସୂତ୍ରରୁ ଏହା ଜଣାଯାଇଛି। ୨୦୧୬-୧୭ ଏବଂ ୨୦୧୭-୧୮ରେ ସୂଚନା କମିସନଙ୍କ ପ୍ରକୃତ ବ୍ୟୟ ବଜେଟ ଅଟକଳଠାରୁ ଅଧିକ ରହିଥିଲା। କିନ୍ତୁ ତାହା ପରଠାରୁ ପ୍ରକୃତ ବ୍ୟୟ ଅଟକଳ ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଗତ ୬ ବର୍ଷ ମଧ୍ୟରେ ପ୍ରକୃତ ବ୍ୟୟରାଶି ୯୦.୬ ପ୍ରତିଶତ ହ୍ରାସ ଘଟି ୨୦୨୧-୨୨ରେ ୩.୫ କୋଟି ଟଙ୍କା ରହିଛି। ୬ ବର୍ଷ ପୂର୍ବେ ଏହା ୩୭.୨୪ କୋଟି ଟଙ୍କା ରହିଥିଲା।
କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରାଳୟର ବ୍ୟୟ ଅନୁଶୀଳନରୁ ଜଣାଯାଇଛି ସୂଚନା ଅଧିକାର ଆଇନ ଓ ସୂଚନା ଆୟୋଗର ପୁଞ୍ଜି ବ୍ୟୟ ଉପରୋକ୍ତ ଅବଧି ମଧ୍ୟରେ ୭ ଗୁଣା ହ୍ରାସ ପାଇଛି। ବ୍ୟୟ ପରିମାଣ ହ୍ରାସ ସହିତ ଅନ୍ୟ ଏକ ସମସ୍ୟା ହେଲା ରାଜ୍ୟସ୍ତରରେ ସୂଚନା ଅଧିକାର ଆଇନରେ କମ୍‌ ସଂଖ୍ୟକ ମାମଲାର ସମାଧାନ ହେଉଥିବାରୁ ରାଜ୍ୟ ସ୍ତରରେ ଥିବା ସୂଚନା ଆୟୋଗ ଗୁଡ଼ିକରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ସାର୍ଥକ ନାଗରିକ ସଂଗଠନ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାଯାଇଛି। ଦେଶର ୨୫ଟି ସୂଚନା ଅୟୋଗ ନିକଟରେ ୨୦୨୧ ଜୁଲାଇରୁ ୨୦୨୨ ଜୁନ ମଧ୍ୟରେ ମୋଟ ୨,୧୨,୪୪୩ଟି ଅଭିଯୋଗ ଓ ଆବଦେନ ଦାଖଲ ହୋଇଛି।

ସୂଚନା ଅଧିକାର ଆଇନ ଅନୁଯାୟୀ ପ୍ରତି ସୂଚନା କମିସନରେ ଜଣେ ମୁଖ୍ୟ ସୂଚନା କମିସନର ଏବଂ ୧୦ ଜଣ ସୂଚନା କମିସନର ରହିବେ। ତେବେ କେନ୍ଦ୍ରୀୟ ସୂଚନା କମିସନରେ ୩ଟି ସୂଚନା କମିସନର ପଦ ୨୦୨୦ ନଭେମ୍ବରରୁ ଖାଲି ପଡ଼ିଛି। ପଶ୍ଚିମବଙ୍ଗ ଓ ବିହାରରେ ଅଧାରୁ କମ୍ କମିସନର ରହିଛନ୍ତି। ଝାଡ଼ଖଣ୍ଡ ଏବଂ ତ୍ରିପୁରାରେ ମୁଖ୍ୟ ସୂଚନା କମିସନରଙ୍କ ଠାରୁ ଆରମ୍ଭ କରି ସବୁଯାକ ସୂଚନା କମିସନର ପଦବି ଯଥାକ୍ରମେ ଗତ ୨୯ ମାସ ଏବଂ ୧୫ ମାସ ହେଲା ଖାଲି ପଡ଼ିଛି ବୋଲି ସାର୍ଥକ ନାଗରିକ ସଂଗଠନ ରିପୋର୍ଟରୁ ଜଣାଯାଇଛି। ତଥ୍ୟ ଉପଲବ୍ଧ ଥିବା ୮ଟି ରାଜ୍ୟରେ ମୁଖ୍ୟ ସୂଚନା କମିସନର ନାହାନ୍ତି। ୬ଟି ରାଜ୍ୟରେ ଦୀର୍ଘଦିନ ହେଲା ମୁଖ୍ୟ ନିର୍ବାଚନ କମିସନ ଖାଲି ପଡ଼ିଛି।

୨୦୨୨ ଜୁନ ସୁଦ୍ଧା କେନ୍ଦ୍ରୀୟ ସୂଚନା କମିସନ ନିକଟରେ ୨୬,୭୨୪ଟି ଅଭିଯୋଗ ଓ ଆବଦେନ ପଡ଼ିରହିଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକରେ କେନ୍ଦ୍ରୀୟ ସୂଚନା କମିସନ ତୁଳନାରେ ଅଧିକ ଅଭିଯୋଗ ଓ ଆବେଦନ ପଡ଼ିରହିଛି। ସେହିଭଳି ୨୩ଟି ରାଜ୍ୟ ସୂଚନା କମିସନ ନିକଟରେ ହୋଇଥିବା ଆବେଦନରୁ ୧୦ଟି କମିସନ ଆବେଦନ ଓ ଅଭିଯୋଗ ଗୁଡ଼ିକର ସମାଧାନ କରିବା ଲାଗି ୧ ବର୍ଷରୁ ଅଧିକ ସମୟ ନେବାର ସମ୍ଭାବନା ରହିଛି। ଅଭିଯୋଗର ସମାଧାନ ଲାଗି ପଶ୍ଚିମବଙ୍ଗ ସୂଚନା କମିସନକୁ ସର୍ବାଧିକ ୨୪ ବର୍ଷ ୩ ମାସ ଲାଗିବ। ସୂଚନା ଅଧିକାର ଆଇନ ଅନୁସାରେ କମିସନଗୁଡ଼ିକ ବାର୍ଷିକ ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ। କିନ୍ତୁ ୨୯ଟି ସୂଚନା କମିସନ ମଧ୍ୟରୁ ମାତ୍ର ୯ଟି କମିସନ ୨୦୨୦-୨୧ ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି ବୋଲି ନାଗରିକ ସାର୍ଥକ ସଂଗଠନର ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ରୀୟ ସୂଚନା ଆୟୋଗରେ ମୁଖ୍ୟ କମିସନଙ୍କ ସମେତ ୩ ଜଣ କମିସନର ଥିବାବେଳେ ପଶ୍ଚିମବଙ୍ଗରେ ଦୁଇଜଣ, ବିହାରରେ ୪ଜଣ, ମହାରାଷ୍ଟ୍ରରେ ୫ ଜଣ ଏବଂ ଓଡ଼ିଶାରେ ୫ ଜଣ ରହିଛନ୍ତି। ୩ଟି ରାଜ୍ୟ ସୂଚନା କମିସନରେ କେନ୍ଦ୍ରୀୟ ସୂଚନା କମିସନର ତୁଳନାରେ ଅଧିକ ମାମଲା ପଡ଼ିରହିଛି

nis-ad
Leave A Reply

Your email address will not be published.