ଭାରତ ଓ ଚୀନ୍‌ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ: ଚୀନା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ ବୋଲି ମଙ୍ଗଳବାର ଦିନ ବିଦାୟୀ ଭାଷଣରେ ଭାରତସ୍ଥିତ ଚୀନା ରାଷ୍ଟ୍ରଦୂତ ସୁନ୍‌ ୱେଇଡୋଙ୍ଗ୍‌ କହିଛନ୍ତି।

ତିନି ବର୍ଷ ଧରି ଭାରତରେ ଚୀନ୍‌ର ରାଷ୍ଟ୍ରଦୂତ ଥିବା ସୁନ୍‌ଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଥିଲା। ମଙ୍ଗଳବାର ଦିନ ଚୀନା ଦୂତାବାସ ୱେବ୍‌ସାଇଟ୍‌ରେ ପୋଷ୍ଟ୍‌ କରାଯାଇଥିବା ତାଙ୍କ ବିଦାୟୀ ଭାଷଣରେ ସୁନ୍‌ କହିଛନ୍ତି, ଚୀନ୍‌ ଓ ଭାରତ ପ୍ରମୁଖ ପଡ଼ୋଶୀ। ତେଣୁ, ଚୀନ୍‌ ଓ ଭାରତ ମଧ୍ୟରେ ମନୋମାଳିନ୍ୟ ରହିବା ସ୍ବାଭାବିକ କଥା। ବଡ଼ କଥା ହେଲା, ମନୋମାଳିନ୍ୟ ମେଣ୍ଟାଇବା। ଆମେ ବୁଝିବା ଉଚିତ ଯେ, ମନୋମାଳିନ୍ୟ ଅପେକ୍ଷା ଦୁଇ ଦେଶର ସାଧାରଣ ସ୍ବାର୍ଥ ବଡ଼।

ଦୁଇ ଦେଶ ପରସ୍ପରର ରାଜନୈତିକ ବ୍ୟବସ୍ଥା, ବିକାଶ ପଥକୁ ସମ୍ମାନ ଦେବା ଆବଶ୍ୟକ। ଏହାଛଡ଼ା, ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ନୀତି ବଜାୟ ରଖିବା ଉଚିତ ‌ବୋଲି ସେ କହିଛନ୍ତି।
ଭାବବିନିମୟ ଓ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି ଯେ, ଭାରତୀୟ ନାଗରିକମାନଙ୍କ ପାଇଁ ଚୀନ୍‌ ଭିସା ଆବେଦନ ପ୍ରକ୍ରିୟା ସୁବିଧା କରିଛି। ଚୀନ୍‌ରେ ଦୀର୍ଘ ଦିନ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ଭିସା ଆବେଦନ ପ୍ରକ୍ରିୟା ପୁନଃ ଆରମ୍ଭ ହୋଇଛି। ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଚୀନ୍‌ ଗସ୍ତ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଭିସା ସୁବିଧା କରାଯାଇଛି।

୨୦୧୯ ଜୁଲାଇରେ ଭାରତରେ ଚୀନ୍‌ର ରାଷ୍ଟ୍ରଦୂତ ଦାୟିତ୍ବ ଗ୍ରହଣ କରିବା କଥା ସ୍ମରଣ କରି ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ୧୨୦ ବିଲିୟନ୍‌ ଡଲାର୍‌ ଅତିକ୍ରମ କରିଥିବା କଥା ସେ ଦେଖିଛନ୍ତି। ଅବଶ୍ୟ ଏ ସମୟରେ ଚୀନ୍‌-ଭାରତ ସମ୍ପର୍କରେ ଅନେକ ଉତ୍ଥାନପତନ ଘଟିଛି। ମୋର ମନେହୁଏ ଆମ ଦୁଇ ଦେଶର ନେତାମାନଙ୍କ ମାର୍ଗଦର୍ଶନ ଓ ମିଳିତ ଉଦ୍ୟମରେ ଦ୍ବିପାକ୍ଷିକ ସମ୍ପର୍କ ସୁଧୁରି ଯାଇ ପୁଣି ସ୍ବାଭାବିକ ହୋଇଯିବ।

‘କ୍ବାଡ୍‌’ ଏବଂ ଅନ୍ୟାନ୍ୟ ‘ଇଣ୍ଡୋ-ପେସିଫିକ୍‌ ଷ୍ଟ୍ରାଟେଜି’ ବିଷୟ କହିବା ବେଳେ ସେ କହିଛନ୍ତି, ଚୀନ୍‌-ଭାରତ ସମ୍ପର୍କରେ ଯଦି ପାଶ୍ଚାତ୍ୟର ଆଞ୍ଚଳଭିତ୍ତିକ ରାଜନୀତି ତତ୍ତ୍ବ ଲାଗୁ କରାଯିବ, ତେବେ ଆମ ଭଳି ପ୍ରମୁଖ ପଡ଼ୋଶୀ ରାଷ୍ଟ୍ର ପରସ୍ପରକୁ ଶତ୍ରୁ ଭାବେ ଦେଖିବା। ଶେଷରେ, ପ୍ରତିଦ୍ବନ୍ଦ୍ବିତା ଓ ଯୁଦ୍ଧ ହିଁ ହେବ ଭାବ ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ। ପରିଶେଷରେ ଏଥିରୁ କିଛି ମିଳିବ ନାହିଁ। ତେଣୁ, ଆମକୁ ଅଞ୍ଚଳଭିତ୍ତିକ ରାଜନୀତିରୁ ମୁକ୍ତ ହୋଇ ଅତୀତଠାରୁ ଭିନ୍ନ କ‌ୌଣସି ନୂଆ ଉପାୟ ଅବଲମ୍ବନ କରିବାକୁ ପଡ଼ିବ।

nis-ad
Leave A Reply

Your email address will not be published.