କଂଗ୍ରେସରେ ଆରମ୍ଭ ହେଲା ‘ଖାଡଗେ ଯୁଗ’

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହେଲା ‘ଖାଡଗେ ଯୁଗ’। କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖାଡଗେ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଧରାଇଲେ ଦଳର ମଙ୍ଗ। ଖାଡଗେ ସୋନିଆ ଗାନ୍ଧିଙ୍କ ସ୍ଥାନ ନେଇଛନ୍ତି। କଂଗ୍ରେସ ସଭାପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଖାଡଗେ।୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧୀ ଅଧ୍ୟକ୍ଷ ମିଳିଛି।
ମଲ୍ଲିକାର୍ଜୁନ ଖାଡଗେଙ୍କୁ ଅନୁଷ୍ଠାନିକ ଭାବେ କଂଗ୍ରେସର ମଙ୍ଗ ଧରାଇବା ପରେ ସୋନିଆ ଗାନ୍ଧି ଦଳ ଆଗରେ ରହିଥିବା ଚ୍ୟାଲେଞ୍ଜ ବିଷୟରେ ଚର୍ଚ୍ଚା କରିଛନ୍ତି। ଏଥିସହ ନୂଆ କଂଗ୍ରେସ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମଲ୍ଲିକାର୍ଜୁନ ଖାଡଗେ ଅଧ୍ୟକ୍ଷ ହେବା ପରେ ମୁଁ ବେଶ୍ ଆରାମ ଅନୁଭବ କରୁଛି ବୋଲି ସୋନିଆ କହିଛନ୍ତି। ଏଥିସହ ସହଯୋଗ ଓ ସମର୍ଥନ ପାଇଁ ସେ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଂଗ୍ରେସର ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି ଓ ଅନେକ ବରିଷ୍ଠ ନେତା ସାମିଲ ଥିଲେ।
କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେପଟେ ଆଗାମୀ କିଛି ସପ୍ତାହ ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଆଜି ଦାୟିତ୍ୱ ନେବା ପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଖାଡଗେ। ସେହିପରି ପୂର୍ବ ପ୍ରଧାମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମାଧି ସ୍ଥଳ ଶକ୍ତି ସ୍ଥଳ ଏବଂ ଜବାହାରଲାଲ ନେହେରୁଙ୍କୁ ସମାଧି ସ୍ଥଳ ଶାନ୍ତି ବନ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମଲ୍ଲିକାର୍ଜୁନ ଖଡଗେ।

nis-ad
Leave A Reply

Your email address will not be published.