ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ଗଜପତି, ୨୩/୧୦: ସ୍ବାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ । ସାମାନ୍ୟ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରେ ସ୍ବାମୀ-ସ୍ତ୍ରୀର ସାଧାରଣ ବଚସାରୁ ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ । ଝିଅର ସ୍ବାସ୍ଥ୍ୟ ଖରାପ ଥିବାରୁ ମା ଚିକିତ୍ସା ପାଇଁ ହସ୍ପିଟାଲକୁ ନେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଗୁଡି ଉପରେ ଆକ୍ରମଣ କରିଥିଲା ସ୍ବାମୀ ଇଲାନ । ଭୟରେ ଘରୁ ବାହାରକୁ ଦୈାଡି ପଳାଇଥିଲେ ସ୍ତ୍ରୀ। ତାପରେ କଟୁରି ଧରି ଗୋଡାଇ ଗୋଡ଼ାଇ ରାସ୍ତା ଉପରେ ନିଜ ସ୍ତ୍ରୀକୁ ହାଣିଦେଲା ଅଭିଯୁକ୍ତ ଇଲାନ । ଘଟଣା ସମୟରେ ଉପସ୍ଥିତ ଥିବା ପୁଅ ଝିଅ ଅବାକ ହୋଇ ରହିଯାଇଥିଲେ । ମାଆ ରାସ୍ତା ଉପରେ ଟଳି ପଡ଼ିବା ଦେଖି ଦୌଡି ଯାଇ ପୁଅ ଆକାଶ ଗ୍ରାମବାସୀଙ୍କ  ସହଯୋଗ ଲୋଡିଥିଲା । ହେଲେ ଗ୍ରାମବାସୀ ପହଞ୍ଚିବା ବେଳକୁ ମାର ପ୍ରାଣବାୟୁ ଉଡି ଯାଇଥିଲା।

ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ସେଠାରେ ପଡି ରହିଥିବା କଟୁରିକୁ ଜବତ କରିବା ସହ ମୃତଦେହକୁ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦା ।

କ୍ରୋଧରେ ସ୍ତ୍ରୀର ଜୀବନ ନେଇ ଭୟରେ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଛି ଅଭିଯୁକ୍ତ ସ୍ବାମୀ । ଅଭିଯୁକ୍ତ ଇଲାନକୁ ଧରିବା ପାଇଁ ପୋଲିସ ଏବେ ଉଦ୍ୟମ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.