ସୁନକଙ୍କୁ ୧୦୦ ସାଂସଦଙ୍କ ସମର୍ଥନ

ଲଣ୍ଡନ:ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଗତଥର ବିଫଳ ହୋଇଥିବା ରୁଷିଙ୍କୁ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ହିଁ ସଫଳତା ହାସଲ ହୋଇଛି। ତାଙ୍କୁ ମିିଳିଛି ମ୍ୟାଜିକ୍ ନମ୍ବର।

ରୁଷି ସୁନକଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦୦ ସାଂସଦଙ୍କ ସମର୍ଥନ ହାସଲ ହୋଇଛି । ବ୍ରିଟିଶ ସଂସଦରେ କଞ୍ଜରଭେଟିଭ୍ ପାର୍ଟିର ମୋଟ ୩୫୭ ସାଂସଦ ଅଛନ୍ତି।ସୁନକ ଦେଶର ପ୍ରଧାନମନ୍ତ୍ରୀ ଏବଂ କଞ୍ଜରଭେଟିଭ୍ ପାର୍ଟିର ନେତା ଭାବେ ଟ୍ରସଙ୍କ ସ୍ଥାନ ନେବାକୁ ଦୌଡ଼ରେ ରହିଛନ୍ତି। ଅନ୍ୟପକ୍ଷେ କ୍ୟାରବିଆଇ ଦେଶରେ ଛୁଟି ମନାଉଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏହି ଦୌଡରେ ସାମିଲ୍ ହେବା ପାଇଁ ସ୍ଵଦେଶ ଫେରିଛନ୍ତି।

୪୨ ବର୍ଷୀୟ ସୁନକଙ୍କ ସମର୍ଥକ ସାଂସଦଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ସୁନକ ଏବଂ ଜନସନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କେହି ବି ପାର୍ଟିର ନେତା ହେବା ପାଇଁ ନିର୍ବାଚନ ଲଢିବା ନେଇ ଆନୁଷ୍ଠନିକ ଘୋଷଣା କରିନାହାନ୍ତି। ଏ ପର୍ଯ୍ୟନ୍ତ ଲିଡର ଅଫ କମନ୍ସର ପେନ୍ନି ମୋର୍ଡାଣ୍ଟ ଏକ ମାତ୍ର ବ୍ୟକ୍ତି ଯିଏ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ପୂର୍ବତନ ଅର୍ଥ ମନ୍ତ୍ରୀ ସୁନକଙ୍କୁ ଟୋରି ପାର୍ଟିର କିଛି ମନ୍ତ୍ରୀ ଏବଂ ଟୋରି ପାର୍ଟିର ଭିନ୍ନ ଭିନ୍ନ ଗୋଷ୍ଠୀର କିଛି ସାଂସଦଙ୍କ ସମର୍ଥନ ମିଳିଛି।
ବ୍ରିଟେନ୍‌ର ପ୍ରମୁଖ ସମାଚାର ଆଉଟଲେଟ୍ ମୁତାବକ, ରୁଷିଙ୍କ ପାଖରେ ୧୦୦ ସମର୍ଥକ ଅଛନ୍ତି । ଏଥିପାଇଁ ଜନ୍‌ସନ୍ ଓ ତାଙ୍କ ମଧ୍ୟରେ ଭୋଟିଂ ହୋଇପାରେ ବୋଲି ବୋରିସ ଜନ୍‌ସନଙ୍କ ଜଣେ ନିକଟ ଲୋକ କହିଛନ୍ତି ।

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ କହିଛନ୍ତି, ମୋତେ ଲାଗୁଛି ଦେଶରେ ସ୍ଥିରତା ଆଣିବା ଏବଂ ଲକ୍ଷାଧିକ କର୍ମକର୍ତ୍ତାଙ୍କୁ ଭରସା ଦେବା ତଥା ଦେଶରେ କାରବାରକୁ ପ୍ରୋତ୍ସାହିତ ଦେବା ପାଇଁ ସୁନକ ଜଣେ ଯୋଗ୍ୟ ପ୍ରାର୍ଥୀ। ତେଣୁ ତାଙ୍କୁ ସୁଯୋଗ ଦେବା ଉଚିତ୍।

ବ୍ରିଟେନ୍‌ରେ ଲିଜ୍ ଟ୍ରସ୍ ୪୫ ଦିନ ଶାସନ କରିବା ପରେ ଇସ୍ତଫା ଦେଇଛନ୍ତି। ତାଙ୍କ ପରେ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ଜୋର୍‌ସୋର୍‌ରେ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ୨୪ ଅକ୍ଟୋବର (ସୋମବାର)ରେ ବନ୍ଦ ହେବ। ବ୍ରିଟେନ ସଂସଦ ୱେବସାଇଟରେ ବିସ୍ତୃତ ନିୟମ ଅନୁଯାୟୀ ଅନ୍ତିମ ବାଲାଟରେ ରହିବା ପାଇଁ ଆବଶ୍ୟକ ୧୦୦ ନାମାଙ୍କନ ଇ-ମେଲ କିମ୍ବା ଭୌତିକ ରୂପେ ଦାଖଲ କରାଯାଇପାରିବ। ସାଂସଦଙ୍କ ଭୋଟ୍ ପରେ ଦଳର ଦୁଇ ଜଣଙ୍କୁ ଅନ୍‌ଲାଇନ୍ ଭୋଟ୍ ମାଧ୍ୟମରେ ଶ୍ରେଷ୍ଠ ଦୁଇ ପ୍ରତିଯୋଗୀ ଚୟନ କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୨୮ ସୁଦ୍ଧା ଶେଷ ହେବ।

nis-ad
Leave A Reply

Your email address will not be published.