ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ଆଣ୍ଡମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସୃଷ୍ଟି ହୋଇଛି। ୨୩  ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଦିଗ ବଦଳାଇ ଘୂର୍ଣ୍ଣିବାତ୍ୟାରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ୨୫ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁବ।

ଏହା ପ୍ରଭାବରେ ୨୩ ରାତିରୁ ଉପକୂଳରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୪ରୁ ୨୫ ତାରିଖ ଭିତରେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳରେ ବର୍ଷାର ପରିମାଣ ବଢ଼ିବା ସହ ପବନ ବି ବଢ଼ିବ। ତେଣୁ ୨୪ ତାରିଖରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର।

ଏହାସହ ୨୫ ତାରିଖରେ ଉତ୍ତର ଉପକୂଳର ୩ ଜିଲ୍ଲାରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି  ୭୦ କିଲୋମିଟର ବେଗରେ ପବନ ବୋହିବାର ଆକଳନ କରିଛି ପାଣିପାଗ କେନ୍ଦ୍ର।

nis-ad
Leave A Reply

Your email address will not be published.