କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି, ରୋପ୍ ୱେ ପାଇଁ କଲେ ଶିଳାନ୍ୟାସ

କେଦାରନାଥ ୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ଏହି ଅବସରରରେ ସେ ପ୍ରଥମେ କେଦାରନାଥ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ବାବା କେଦାରଙ୍କ ପୂଜା ପରେ ପ୍ରଧାନମନ୍ତ୍ରୀ କେଦାରନାଥ ରୋପ୍ ୱେ ଲାଗି ଶିଳାନ୍ୟାସ କରିଛନ୍ତି।ଏହା ପରେ ମୋଦି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳ ପରିଦର୍ଶନ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ଏଠାରେ କାର୍ଯ୍ୟକାରୀ ହେଉଥିବା ମନ୍ଦାକିନୀ ଆସ୍ଥାପଥ ଓ ସରସ୍ୱତୀ ଆସ୍ଥା ପଥ ସହିତ ଅନ୍ୟ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧ହଜାର କୋଟି ଟଙ୍କାର ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି।

କେଦାରନାଥ ରୋପ୍ ୱେ ପାଖାପାକି ୯.୭ କିଲୋମିଟର ଦୀର୍ଘ ହେବ। ଏହା ଗୌରୀକୁଣ୍ଡକୁ କେଦାରନାଥ ସହ ସଂଯୁକ୍ତ କରିବ। ଫଳରେ ଉଭୟ ସ୍ଥାନରୁ ଯାତ୍ରା ସମୟ ୬ରୁ୭ ଘଣ୍ଟାରୁ ହ୍ରାସ ହୋଇ ମାତ୍ର ୩୦ ମିନିଟ ହେବ। ସେହିପରି ହେମକୁଣ୍ଡ ରୋପୱେ ଗୋବିନ୍ଦ ଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୁକ୍ତ କରିବ। ଏହା ପ୍ରାୟ ୧୨.୪ କିଲୋମିଟର ଦୀର୍ଘ ହେବ। ଫଳରେ ଉଭୟ ସ୍ଥାନକୁ ଯାତ୍ରାର ସମୟ ଦିନକରୁ ହ୍ରାସ ହୋଇ ମାତ୍ର ୪୫ ମିନିଟ୍‌ରେ ସୀମିତ ହେବ। ଏହି ରୋପ୍ ୱେ ଘାଁଘରିଆକୁ ବି ସଂଯୁକ୍ତ ହେବ।

ଏହି ରୋପୱେଗୁଡିକୁ ୨ହଜାର ୪୩୦ କୋଟି ଟଙ୍କା ନିବେଶରେ ନିର୍ମାଣ କରାଯିବ। ଏହା ପରିବହନର ଏକ ପରିବେଶ ଅନୁକୁଳ ସାଧନ ହେବା ସହ ସୁରକ୍ଷା ଓ ସ୍ଥିରତା ପ୍ରଦାନ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ରାଜ୍ୟରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଫଳରେ କ୍ଷେତ୍ରକୁ ଆର୍ଥିକ ବିକାଶର ରାସ୍ତା ଫିଟିବା ସହ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। କେଦାରନାଥ ଓ ବଦ୍ରିନାଥ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ। ଏହି କ୍ଷେତ୍ରରେ ଶିଖ ତୀର୍ଥ ସ୍ଥଳ ହେମକୁଣ୍ଡ ସାହିବ ମଧ୍ୟ ରହିଛି। ଏହି ସବୁ ସ୍ଥାନରେ ଆରମ୍ଭ କରାଯାଉଥିବା କନେକ୍ଟିଭିଟି ଯୋଜନା ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଲୋକଙ୍କ ପହଞ୍ଚ ସୁଗମ କରିବ।

nis-ad
Leave A Reply

Your email address will not be published.