ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦାୟିତ୍ୱ ଅଧ୍ୟକ୍ଷା ଭାବେ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ(OB&OCWW)ର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଶ୍ରୀୟା ଛକ ନିକଟସ୍ଥ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ ଆୟୁକ୍ତ ତଥା ବୋର୍ଡ ସଦସ୍ୟ ସଚିବ ଡଃ ଏନ୍ ଥିରୁମାଳା ନାଏକ ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଳମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ତୃଣମୂଳ ସ୍ତରରେ ଶ୍ରମିକ ଭାଇଭଉଣୀ ମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ଏହି ଅବସରରେ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ସର୍ବଦା ସେମାନଙ୍କ ପାଖରେ ବିକାଶକୁ ପହଂଚାଇବାକୁ ପ୍ରାଥମିକତା ଦେଇଆସୁଛନ୍ତି । ଏବେ ପ୍ରାୟ ୩୬ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ତଥା ସେମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ କାର୍ଯ୍ୟ କରି ଆସୁଛି । ବିଭିନ୍ନ ଯୋଜନାରେ ବୋର୍ଡ ପକ୍ଷରୁ ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ମୋଟ ପ୍ରାୟ ୨୪ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମୋଟ ୨୬୬୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇସାରିଛି ।
ଆଗାମୀ ଦିନରେ ରାଜ୍ୟବ୍ୟାପୀ ଅଧିକରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଇବା ସହ ସେମାନଙ୍କ ନିକଟରେ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ । ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ବୋର୍ଡରେ ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ ଉପକ୍ରମ ଓ ‘ମୋ ସରକାର’ ମତାମତ ସଂଗ୍ରହ ପ୍ରକ୍ରିୟାକୁ ସଠିକ କାର୍ଯ୍ୟକାରୀ କରାଇ ବୋର୍ଡର କାର୍ଯ୍ୟକୁ କିଭଳି ଆହୁରି ଅଧିକ ସହଜ ଓ ଲୋକାଭିମୁଖୀ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ।

ପୁଣିଥରେ ମୋ’ ଉପରେ ଭରସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପଞ୍ଜିକୃତ ଗରିବ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ତଥା ସମସ୍ତଙ୍କ ସହଯୋଗରେ ସୁଚାରୂ ରୂପେ ତୁଲାଇବାକୁ ପ୍ରୟାସ କରିବି ବୋଲି ଶ୍ରୀମୟୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମତୀ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ବୋର୍ଡର ଅଧ୍ୟକ୍ଷ ଭାବେ ସୁବାସ ସିଂ ଓ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ କାର୍ଯ୍ୟ କରିସାରିଛନ୍ତି ।

nis-ad
Leave A Reply

Your email address will not be published.