ଦୀପାବଳିରେ ଯୁବପିଢ଼ିଙ୍କୁ ମେଗା ଉପହାର ଦେବେ ମୋଦି

ନୂଆଦିଲ୍ଲୀ: ଖୁସି ଖବର ଦେବେ ମୋଦି। ଏହି ଦୀପାବଳିରେ ଯୁବପିଢ଼ିଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପି ୭୫,୦୦୦ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି ସରକାର। ଶନିବାର ଏ ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦୀପାବଳି ପୂର୍ବରୁ ମୋଦି ଏହି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ଦେଶର ପ୍ରାୟ ୭୫,୦୦୦ ଯୁବପିଢ଼ିଙ୍କୁ ଅଫର ଲେଟର ପ୍ରଦାନ କରାଯିବ। କେନ୍ଦ୍ରସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦୀରେ ଏହି ନଯୁକ୍ତି ମିଳିବ।
ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଏବଂ ବ୍ୟାଙ୍କିଙ୍ଗରେ ଏହି ଚାକିରି ବଣ୍ଟନ କରାଯିବ। ଦେଶର ବିଭିନ୍ନ ସହରରୁ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜରାଟରୁ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ, ଚଣ୍ଡିଗଡ଼ରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ମହାରାଷ୍ଟ୍ରରୁ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ରାଜସ୍ଥାନରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବ। ସେହିପରି ଉତ୍ତରପ୍ରଦେଶରୁ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ, ଝାଡଖଣ୍ଡରୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ବିହାରରୁ ପଞ୍ଚାୟତ ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।
ଅନ୍ୟମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ସହରରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବେ। ସମସ୍ତ ବିଜେପି ସାଂସଦ ସେମାନଙ୍କ ସଂସଦୀୟ ମଣ୍ଡଳୀରୁ ଯୋଗଦେବେ। ଦେଶରେ ବେକାରୀ ସମସ୍ୟା ଓ ନଯୁକ୍ତି ହ୍ରାସକୁ ନେଇ ବିରୋଧୀ କ୍ରମାଗତ ଭାବେ କେନ୍ଦ୍ରର ବିଜେପି ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ ନେଇ ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଆସନ୍ତା ୧୮ ମାସ ମଧ୍ୟରେ ଦଶ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧି ସେତେବେଳେ ମୋଦିଙ୍କ ଏହି ଘୋଷଣାକୁ ମହା ଜୁମଲା ସରକାର କହି ଆକ୍ଷେପ କରିଥିଲେ।

nis-ad
Leave A Reply

Your email address will not be published.