ଦଲାଲଙ୍କ କବ୍ଜାରେ ପରିବହନ କାର୍ଯ୍ୟାଳୟ, ଦଲାଲୀ କରୁଥିବା ଅଭିଯୋଗରେ ୪ ଗିରଫ

ରାଉରକେଲା : ରାଉରକେଲା ପରିବହନ କାର୍ଯ୍ୟାଳୟ ନିକଟରୁ ଉଦିତନଗର ପୋଲିସ ମଙ୍ଗଳବାର ଦିନ ୪ ଜଣ ଦଲାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେତେକ ଗାଡି ମାଲିକଙ୍କ ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଛି।

ରାଉରକେଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)ରେ ବର୍ଷ ବର୍ଷ ଧରି ଚାଲିଛି ଦଲାଲଙ୍କ ରାଜ। ଆର୍‌ଟିଓ ପରେ ଆର୍‌ଟିଓ ବଦଳି ହେଉଛନ୍ତି କିନ୍ତୁ ଦଲାଲଙ୍କ ଦୌରାତ୍ମ କମୁନି। କିଛି ପ୍ରମୁଖ ଦଲାଲ ଆର୍‌ଟିଓ ଅଫିସ୍‌ର ପ୍ରତ୍ୟେକ ବିଭାଗର ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ବେଆଇନ କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ମାତ୍ର ଏମାନଙ୍କ ବିରୋଧରେ ଆଜି ଯାଏଁ ପରିବହନ ଉଚ୍ଚ ଅଧିକାରୀ ହେଉ ଅବା ଆର୍‌ଟିଓ ପକ୍ଷରୁ ସେମିତି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଅଭିଯୋଗ ରାଉରକେଲା ଏସ୍‌ପିଙ୍କ ପାଖରେ ପହଞ୍ଚିବା ପରେ ଚଢ଼ଉ ହେଉଛି। ଆଜି ଉଦିତନଗର ଥାନାର ସାଧା ପୋଷାକଧାରୀ ପୁଲିସ ଟିମ୍‌ ଆର୍‌ଟିଓ ଅଫିସ୍‌ ନିକଟରେରେ ଅଚାନକ ଚଢ଼ଉ କରିଥିଲେ। ଆର୍‌ଟିଓ ଅଫିସ୍‌ ନିକଟରେ କାମ କରୁଥିବା କିଛି ଦଲାଲ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଚାରି ଦଲାଲଙ୍କୁ ପୁଲିସ ଗିରଫ କରିଥିଲେ। ଗିରଫ ଦଲାଲମାନେ ହେଲେ ହରିପୁର ବସ୍ତିର ଦଶରଥ ସିଂ, ବାସନ୍ତୀକଲୋନିର ଖଗେଶ୍ବର ସାହୁ, ସେକ୍ଟର-୧୫ର ରଙ୍ଗନିଧି ପରିଡା, ପାୱାର ହାଉସ୍‌ରୋଡର ସଚ୍ଚିଦାନନ୍ଦ ଦାସ। ଟାର୍ଗେଟରେ ରହିଛନ୍ତି ଆହୁରି ଅନ୍ୟ ୮ ପ୍ରମୁଖ ଦଲାଲ। ଯେଉଁମାନଙ୍କ ବିରୋଧରେ ନା ପରିବହନ ଅଧିକାରୀ ନା ସ୍ଥାନୀୟ ଥାନା ପକ୍ଷରୁ ଆଜି ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦଲାଲଙ୍କ ଦ୍ବାରା ଲୁଟର ଶିକାର ହୋଇଥିବା କିଛି ଗାଡି ଚାଳକ ଓ ସେମାନଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିନା ଟଙ୍କାରେ କୌଣସି ବିଭାଗରେ କାଗଜପତ୍ର ଆଗକୁ ବଢ଼ୁନି ବୋଲି ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀମାନେ ନାନା ନିୟମକାନୁନ ଦେଖାଇ ଗାଡ଼ି ଚାଳକଙ୍କୁ ଫେରାଇ ଦେଉଛନ୍ତି। ଯେଉଁମାନେ ଦାବିମୁତାବକ ଟଙ୍କା ଦେଉଛନ୍ତି, ସେମାନଙ୍କ କାମ ଠିକ୍‌ ଭା‌ବେ କରି ଦେଉଛନ୍ତି। ଏହି ଦୁର୍ନୀତିର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।

nis-ad
Leave A Reply

Your email address will not be published.