ମସଜିଦ ଜମିରେ ଧସେଇ ପଶିଲେ, ମୂର୍ତ୍ତି ରଖି ପୂଜାର୍ଚ୍ଚନା କଲେ ଶତାଧିକ ଲୋକ

ହାଇଦ୍ରାବାଦ: ଚିନ୍ତା ବଢ଼ାଇବା ଭଳି ଘଟଣା ହାଇଦ୍ରାବାଦରେ ଘଟିଛି। ହାଇଦ୍ରାବାଦର ରାଇଦୁଗାମରେ ଥିବା କୁତବ ଶାହି ମସଜିଦ ଜମି ଭିତରକୁ ଶତାଧିକ ଲୋକ ଧସେଇ ପଶିଛନ୍ତି। ସେମାନେ ମସଜିଦ ଜମିରେ ମୂର୍ତ୍ତି ପ୍ରତିଷ୍ଠା କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ରବିବାର ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି।
ମସଜିଦ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମାଲକମ ଚେରୁଭୁ ଠାରେ ଥିବା କୁତବ ଶାହି ମସଜିଦର ଜମିରେ କିଛି ଲୋକ ବଲପୂର୍ବକ ପ୍ରବେଶ କରିଥିଲେ। ଏହାପରେ ମସଜିଦ ଜମିରେ ଥିବା ଗୋଟିଏ ଛୋଟ ପାହାଡ଼ିଆ ସ୍ଥାନରେ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ସେଠାରେ ସେମାନେ ପୂଜାର୍ଚ୍ଚନ କରିବା ସହ ମେଣ୍ଢା ବଳି ଦେଇଥିଲେ।
ମନ୍ଦିର ଓ ମସଜିଦକୁ ଦିଆଯାଇଥିବା ଜମି ଆବଣ୍ଟନରେ ଦ୍ୱନ୍ଦ୍ୱ ଦେଖାଯିବାକୁ ଏପରି ଘଟଣା ଘଟିଥିବା କୁହାଯାଉଛି। ୪୦୦ ବର୍ଷ ପୁରୁଣା କୁତବ ଶାହି ମସଜିଦର ଅପରପାର୍ଶ୍ୱରେ ଦେବି କାତ୍ତା ମୈସାମ୍ମାଙ୍କ ମନ୍ଦିର ରହିଥିଲା। ତେବେ ଉକ୍ତ ସ୍ଥାନ ଦେଇ ରାସ୍ତା ଯିବାର ଥିବାରୁ ଜିଲ୍ଲାପାଳ ମନ୍ଦିର କାମ ପାଇଁ ୧୮ ଗୁଣ୍ଠ ସରକାରୀ ଜମି ହସ୍ତାନ୍ତର କରିଥିଲେ।
ମନ୍ଦିର କର୍ତ୍ତୃପକ୍ଷଙ୍କ କହିବା କଥା ଯେ ଉକ୍ତ ଜମି ମସଜିଦର ପରିସରର ଭିତରେ ରହିଛି। ବିବାଦ ବଢ଼ୁଥିବାରୁ ରାଜସ୍ୱ ବିଭାଗ ମନ୍ଦିର କର୍ତ୍ତୃପକ୍ଷଙ୍କ ଦାବି ଅନୁସାରେ ଜମି ମପାଚୁପା କରିବ। ଏଥିସହ ସୀମା ପୁନଃନିର୍ଦ୍ଧାରଣ କରିବ।
ପୁଲିସ୍‌ କହିଛି ଯେ ମସଜିଦ ଜମିରେ ପ୍ରବେଶ କରିଥିବା ଲୋକଙ୍କୁ ବାହାର କରାଯାଇଛି ଓ ସେମାନେ ପ୍ରତିଷ୍ଠା କରିଥିବା ମୂର୍ତ୍ତିକୁ ହଟାଇ ଦିଆଯାଇଛି। ଅଜଣା ଲୋକଙ୍କ ନାଁରେ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ସ୍ଥାନୀୟ ହିନ୍ଦୁ ସଂପ୍ରଦାୟର ଲୋକମାନେ ଘଟଣା ପଛରେ ସେମାନଙ୍କର କୌଣସସି ଭୂମିକା ନଥିବା କହିଛନ୍ତି।

nis-ad
Leave A Reply

Your email address will not be published.