‘ଭାରତଯୋଡ଼ୋ ଯାତ୍ରା ବନ୍ଦ କରି ରାହୁଲ ଗୁଜରାଟ ଓ ହିମାଚଳ ପ୍ରଦେଶ ଯାଆନ୍ତୁ’

ପାଣାଜୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ଉପରେ ଫୋକସ କରନ୍ତୁ। ଏହା କହିଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସରଦିନା। କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ କହିଛନ୍ତି ଯେ, ରାହୁଲ ଗାନ୍ଧି ଏବେ ଭାରତ ଯୋଡା ଯାତ୍ରାକୁ ବନ୍ଦ କରି ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବା ଉଚିତ୍। କାରଣ କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିପାରିବ। କଂଗ୍ରେସର ଭାରତ ଯୋଡା ଯାତ୍ରା ୧୫୦ ଦିନରେ ୩୫୭୦ କିଲୋମିଟର ଯାତ୍ରା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର୭ରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରରେ ଶେଷ ହେବ।
ଏହି ଯାତ୍ରାରେ ରାହୁଲ ଗାନ୍ଧି ନେତୃତ୍ୱ ନେଉଛନ୍ତି। ଏ ପର୍ଯ୍ୟନ୍ତ ୪ଟି ରାଜ୍ୟ ତଥା ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶକୁ ଛୁଇଁସାରିଛି ଏହି ଯାତ୍ର। । ଫ୍ରାନସିସକୋ କହିଛନ୍ତି ଯେ, କଂଗ୍ରେସ ପାଇଁ ଭାରତ ଯୋଡା ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଚାହୁଁ ଦଳ ତୃଣମୂଳସ୍ତରରେ ସଶକ୍ତ ହେଉ । ରାହୁଲ ଗାନ୍ଧି ଏହି କାର୍ଯ୍ୟକ୍ରମ କରି ଚମତ୍କାର ପଦକ୍ଷେପ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ମୁଁ ଚାହୁଁଛି ରାହୁଲ ଗାନ୍ଧି ତୁରନ୍ତ ଏହି କାଯ୍ୟକ୍ରମରୁ ବିରତ ନେଇ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ଅଭିଯାନ ଆରମ୍ଭ କରନ୍ତୁ। ଉଭୟ ରାଜ୍ୟକୁ ରାହୁଲ ଯାତ୍ରା କରନ୍ତୁ। କାରଣ ଉଭୟ ରାଜ୍ୟରେ ନିର୍ବାଚନ ରହିଛି। ନଭେମ୍ବର ୧୨ରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ରହିଛି। ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ।
ଗୁଜରାଟ ପାଇଁ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହାଁନ୍ତି। ଏହି ଦୁଇ ରାଜ୍ୟର ଲୋକଙ୍କୁ କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ରାହୁଲ ଗାନ୍ଧି ଜାଗ୍ରତ କରିବା ଉଚିତ ବୋଲି ଫ୍ରାନସିସକୋ କହିଛନ୍ତି। କେବଳ କଂଗ୍ରେସ ହିଁ ବିଜେପିକୁ ଟକ୍କର ଦେଇ ପାରିବ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.