ଆଜିଠାରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌; ପ୍ରଥମ ରାଉଣ୍ଡ୍‌ରେ ଲଢ଼ିବେ ୮ ଦଳ; ସୁପର-୧୨କୁ ଯିବେ ୪

ଗିଲଙ୍ଗ/ହୋବାର୍ଟ : କ୍ରିକେଟ୍‌ ଦୁନିଆର ସବୁଠୁ ଆକର୍ଷଣୀୟ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅଷ୍ଟମ ସଂସ୍କରଣ ରବିବାରଠାରୁ ଆରମ୍ଭ ହେଉଛି। ମୋଟ ୧୬ଟି ଦେଶକୁ ନେଇ ଏହି ପ୍ରତିଯୋଗିତା ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମ୍‌ରେ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାରଠାରୁ ପ୍ରଥମ ରାଉଣ୍ଡ୍‌ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ୨୨ ତାରିଖରୁ ମୁଖ୍ୟ ପ୍ରତିଯୋଗିତା ତଥା ସୁପର-୧୨ ରାଉଣ୍ଡ ଖେଳାଯିବ। ଆଇସିସି ମାନ୍ୟତା ଭିତ୍ତିରେ ୮ ଦଳ ସୁପର-୧୨କୁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିଲା ବେଳେ ପ୍ରଥମ ରାଉଣ୍ଡରୁ ପ୍ରତି ଗ୍ରୁପ୍‌ର ଦୁୂଇ ଶ୍ରେଷ୍ଠ ଦଳ ମୁଖ୍ୟ ପ୍ରତିଯୋଗିତାରେ ସାମିଲ ହେବେ। ଭାରତ ତା’ର ଅଭିଯାନ ୨୩ ତାରିଖରେ ପାକିସ୍ତାନ ସହ ମେଲ୍‌ବର୍ଣ୍ଣରେ ଖେଳି ଆରମ୍ଭ କରିବ।
ପ୍ରଥମ ରାଉଣ୍ଡରେ ଥିବା ୮ ଦଳକୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଛି। ପ୍ରଥମ ରାଉଣ୍ଡ୍‌ ଲାଗି ଗ୍ରୁପ୍‌ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ, ନାମିବ୍ୟା,
ୟୁଏଇ ଏବଂ ଗ୍ରୁପ୍‌ ‘ବି’ରେ ୱେଷ୍ଟଇଣ୍ଡିଜ୍‌,‌ ସ୍କଟଲାଣ୍ଡ୍‌, ଜିମ୍ବାୱେ, ଆୟର୍ଲାଣ୍ଡ୍‌ ରହିଛନ୍ତି। ଉଭୟ ଗ୍ରୁପ୍‌ରୁ ଶୀର୍ଷ ୨ ଦେଶକୁ ନେଇ ମୋଟ ୪ ଦଳ ସୁପର୍‌ ୧୨ ପର୍ଯ୍ୟାୟକୁ ଉନ୍ନୀତ ହେବା ପରେ ଶନିବାରଠାରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ‌ ହେବ। ପୂର୍ବରୁ ସୁପର୍‌-୧୨ ପର୍ଯ୍ୟାୟରେ ସିଧାସଳଖ ଖେଳିବାକୁ ଅପେକ୍ଷା କରିଛନ୍ତି ଆୟୋଜକ ଅଷ୍ଟ୍ରେଲିଆ ସହିତ ନ୍ୟୁଜିଲାଣ୍ଡ୍‌, ଭାରତ, ପାକିସ୍ତାନ, ଇଂଲଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା।
ରବିବାର ପ୍ରଥମ ଦିବସରେ ଗ୍ରୁପ୍‌ ‘ଏ’ର ଦୁଇଟି ମ୍ୟାଚ୍‌ ଖେଳାଯିବ। ଗିଲଙ୍ଗ୍‌ରେ ସକାଳ ୯.୩୦ରୁ ଶ୍ରୀଲଙ୍କା ଓ ନାମିବ୍ୟା ଲଢ଼େଇରୁ ବିଶ୍ବକପ୍‌ ଆରମ୍ଭ ହେବ। ଉଭୟ ଦେଶ ଗତବର୍ଷ ସୁପର୍‌-୧୨ ଖେଳିଥିବାରୁ ନିଶ୍ଚିତ ଚାପରେ ରହି‌ବେ। ଭାରତୀୟ ସମୟ ଅପରାହ୍ଣ ୧.୩୦ରେ ୟୁଏଇ ଓ ନେଦରଲାଣ୍ଡ୍ସ ଲଢ଼ିବେ। ବିଶ୍ବକପ୍‌ ଖେଳିବାକୁ ନିର୍ଧାରିତ ମାନ୍ୟତା ବାହାରକୁ ଚାଲି ଯାଇଥିବାରୁ ୨୦୧୪ ସଂସ୍କରଣ ବିଜେତା ଶ୍ରୀଲଙ୍କାକୁ ପ୍ରଥମ ରାଉଣ୍ଡ୍‌ ଖେଳିବାକୁ ପଡୁଛି। ସେହି ଦୃଷ୍ଟିରୁ ସମ୍ପ୍ରତି ଭଲ ଖେଳୁଥିବା ଏହି ଏସୀୟ ଦଳ ନାମିବ୍ୟାକୁ ଭାରି ପଡିବ ବୋଲି ଆକଳନ କରାଯାଉଛି। ଦାସୁନ ଶଣକାଙ୍କ ଦଳ କିନ୍ତୁ ଆତ୍ମପ୍ରସନ୍ନ ନରହି ଆତ୍ମବିଶ୍ବାସ ସହ ଅଭିଯାନ ଆରମ୍ଭ କରିବାକୁ ବଦ୍ଧ ପରିକର ରହିଛି। ଗତ ମାସରେ ଏସିଆ କପ୍‌ ଜିତିଥିବାରୁ ଶ୍ରୀଲଙ୍କା ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି। ଗ୍ରୁପ୍‌ ‘ଏ’ରୁ ଆଗକୁ (ସୁପର୍‌ ୧୨) ବଢ଼ିବାକୁ ଶ୍ରୀଲଙ୍କା ଦୃଢ଼ ଦାବିଦାର ରହିଥିବା ବେଳେ ଦ୍ବିତୀୟ ସ୍ଥାନ ପାଇଁ ନେଦରଲାଣ୍ଡ୍ସ ଓ ନାମିବ୍ୟା ଦୌଡ଼ରେ ରହିବେ।

୨୦୨୨ରେ ୟୁଏଇ ଖେଳିଥିବା ୧୩ ମ୍ୟାଚ୍‌ରୁ ୭ ହାରିଥିବାରୁ ଚାପରେ ରହିଛି। ଅଧିକାଂଶ ବିଜୟ ସେ ନେପାଳ ବିପକ୍ଷରେ ପାଇଛି। ପୂର୍ବରୁ ଏହି ଦେଶ ମଧ୍ୟ ‌ନିଜର ପୂର୍ବ ୩ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ହାରିଛି। କିନ୍ତୁ ଟ୍ବେଣ୍ଟି-୨୦ କ୍ରିକେଟ୍ ସବୁବେଳେ ଅପ୍ରତ୍ୟାଶିତ ଫଳାଫଳ ଦେବାର ପରମ୍ପରା ରଖିଥିବାରୁ ୟୁଏଇ ଗୋଟିଏ ବିପର୍ଯ୍ୟୟ ସୃଷ୍ଟି କଲେ ଆଗକୁ ବଢ଼ିବାର ଦ୍ବାର ଖୋଲିଦେବ। ଗିଲଙ୍ଗରେ ଡ୍ରପ୍‌ ଇନ୍‌ ପିଚ୍‌ ଥିବାବେଳେ ବର୍ଷା କାରଣରୁ ଗତ ସପ୍ତାହରେ ଅଭ୍ୟାସ ମ୍ୟାଚ୍‌ ଖେଳାଯାଇପାରିନାହିଁ। ତଥାପି ଗିଲଙ୍ଗର କାର୍ଡିନିଆ ପାର୍କରେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ବର୍ଷାର ସମ୍ଭାବନା ନାହିଁ। ୨୦୨୧-୨୨ ବିବିଏଲ୍‌ ସମୟରେ ଏହି ପିଚ୍‌ରେ ୯ ଥର ୨୦୦ରୁ ଊର୍ଧ୍ବ ସ୍କୋର୍‌ ହୋଇଛି।

nis-ad
Leave A Reply

Your email address will not be published.