ବ୍ରହ୍ମାକୁମାରୀସ୍‌, ଶାନ୍ତିକୁଣ୍ଡ ତରଫରୁ ପ୍ରେସୀଡ଼େନ୍ସି କଲେଜର ସ୍ନାତକ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ସକାଶେ ଆଧ୍ୟାତ୍ମିକ ସ୍ନେହମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର- ୧୩.୧୦.୨୨: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପ୍ରଭୁ ଉପହାର ରିଟ୍ରିଟ ସେଂଟର୍ ଅଡିଟୋରିୟମ୍ ମହଲରେ ଆଜି ପ୍ରେସିଡେନ୍ସି କଲେଜର ବି.ସି.ଏ ଏବଂ ବି.ବି.ଏ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ସମତେ ନିର୍ଦ୍ଦେଶକ, ଅଧ୍ୟକ୍ଷ (ଡିନ୍‌) ତଥା ଅଧ୍ୟାପକ, ଅଧ୍ୟାପିକାଙ୍କ ସକାଶେ ତିନୋଟି ଅଧିବେଶନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ ଅନୁଷ୍ଠିତ ହୋଇଯାଇଅଛି । ଜୀବନକୁ ସୁସଂସ୍କାରିତ କରିବା ସକାଶେ ବୈଷୟିକ ଶିକ୍ଷା ସହ ନୈତିକ ଶିକ୍ଷାର ସନ୍ତୁଳନ ଅପରିହାର୍ଯ୍ୟ- ଏହା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ର ଥିଲା ।

କଲେଜର ରୌପ୍ୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ନିର୍ଦ୍ଦେଶକ ଭ୍ରାତା ଶରତ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେେଇ କହିଥିଲେ ଯେ ଜୀବନର ପରିପୂର୍ଣ୍ଣତା ପ୍ରାପ୍ତି ପାଇଁ ଆମେ ପରମାତ୍ମାଙ୍କ ନିର୍ଦ୍ଦେଶନା ସହ ନୈତିକ ଏବଂ ଆଧ୍ୟାତ୍ମିକ ଶିକ୍ଷା ଧାରଣ କରିବା ଏକାନ୍ତ ଆବଶ୍ୟକ । କଲେଜର ଅଧ୍ୟକ୍ଷ ତଥା ଡିନ୍ ଭ୍ରାତା ଶ୍ରୀନିବାସ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଆତ୍ମ ଅନୁଭୂତି ମାଧ୍ୟମରେ ପରମାତ୍ମ ଅନୁଭୂତି କରିବା ଏବଂ ତଜ୍ଜନିତ ପ୍ରେରଣା ସହ ଜୀବନରେ ଶାନ୍ତି, ଖୁସି, ଶକ୍ତି, ଏକାଗ୍ରତାର ଦିଶାକୁ ଅଗ୍ରସର ହେବା – ଛାତ୍ରମାନଙ୍କର ମୁଖ୍ୟ କର୍ତବ୍ୟ ହେବା ଉଚିତ୍ । ବ୍ରହ୍ମାକୁମାରୀସ୍‌, ବ୍ରହ୍ମପୁର ସବ୍‌ଜୋନ୍ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ନିଜ ଆଶୀର୍ବଚନରେ କହିଥିଲେ ଯେ, ବର୍ତମାନ ସମୟରେ ଶିକ୍ଷାର ସର୍ବାଙ୍ଗୀନ ବିକାଶ, ବିଭିନ୍ନ ଯୋଜନା ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଜ୍ଞାନର ନୂଆ ନୂଆ ଉଦ୍ଭାବନ ମଧ୍ୟରେ ମନୁଷ୍ୟ ନିଜକୁ ନିଜେ ଭୁଲିଯାଇଥିବା ହେତୁ ସମାଜରେ ମାନବତ୍ୱ ଲୋପ ପାଇଯାଇଅଛି । ଏଣୁ ଜୀବିକା ସହ ଜୀବନକୁ ମୂଲ୍ୟ ସମ୍ପନ୍ନ କରିବା ନିମନ୍ତେ ଆତ୍ମଚେତନାର ବିକାଶ କରିବା ଆବଶ୍ୟକ । ପ୍ରଭୁ ଉପହାର ରିଟ୍ରିଟ୍ ସେଂଟର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ସଭାକାର୍ଯ୍ୟ ପରିଚାଳନା ସହ ଶିକ୍ଷାର୍ଥୀମାନଙ୍କୁ ରାଜଯୋଗର ଅଭ୍ୟାସ ମାଧ୍ୟମରେ ଏକ ଚିନ୍ତାମୁକ୍ତ, ଶାନ୍ତ, ସଶକ୍ତି ଏବଂ ଏକାଗ୍ରତାଯୁକ୍ତ, ସକାରାତ୍ମକ ବାତାବରଣ ସୃଷ୍ଟି ପୂର୍ବକ ଅଧ୍ୟୟନ ମାର୍ଗକୁ ପ୍ରଶସ୍ତ କରିହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉକ୍ତ ବିଶ୍ୱବିଦ୍ୟାଳୟର ଈଶ୍ୱରୀୟ ଶିକ୍ଷା ଏବଂ ରାଜଯୋଗ ଅଭ୍ୟାସ ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ପରିଶେଷରେ ଆମନ୍ତ୍ରିତ ଅତିଥିମାନଙ୍କୁ ଈଶ୍ୱରୀୟ ଉପହାର ଓ ପ୍ରସାଦସେବନ ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.