ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା, ୧ମୃତ ୨ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାବାଡି ଗାଁ ନିକଟରେ ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମ ସ୍କୁଲ ସାହିର ରାକେଶ ଡାକୁଆ (୨୩) ଏବଂ ଗୁରୁତର ଦୁଇ ଜଣ ହେଲେ ଭଗବାନପୁର ଗ୍ରାମର ସାହିଲ୍ ଗୌଡ(୨୦) ଓ ଜଗତସିଂହପୁର ଅଞ୍ଚଳର ଚନ୍ଦନ ବେହେରା (୨୬) । ଘଟଣାରୁ ପ୍ରକାଶ ଯେ , ଆଜି ମଧ୍ଯାହ୍ନରେ ସାହିଲ୍, ଚନ୍ଦନ ଓ ରାକେଶ ତିନିହେଁ ଏକ ବାଇକ୍ (ନଂ-ଓଡି୩୨ଡି-୪୩୦୧)ରେ ଭଗବାନପୁରରୁ କରଚୁଲି ବ୍ଯାଙ୍କକୁ ଟଙ୍କା ଉଠାଇବାକୁ ଯାଉଥିବା ବେଳେ ଡେଙ୍ଗାବାଡି ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ସାମନା ପଟୁ ଆସୁଥିବା ଗାଈ ବୋଝେଇ ଏକ ଡାଲା ଅଟୋ (ନଂ-ଓଡି୩୨ଡି-୨୫୧୦)ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀ ତିନିଜଣଙ୍କୁ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ମେଡିକାଲରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ। ସାହିଲ୍ ଓ ଚନ୍ଦନର ମୁଣ୍ଡରେ ଗଭୀର ଆଘାତ ଲାଗି ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟୋ ଓ ବାଇକକୁ ଜବତ କରିବା ସହ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା । ମୃତ ରାଜେଶଙ୍କ ବଡବାପା ମାଲ ଡାକୁଆଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୬୦୧/୨୨ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.