ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତି ଉଛେଦକୁ ନେଇ ପ୍ରତିବାଦ : ପୂର୍ବତନ ମେୟର,ବିଜେପି କେଣ୍ଡେଣ୍ଟ ଓ ସାହି ବାସିନ୍ଦାଙ୍କ ବିଏମସି ଘେରଉ…

ବ୍ରହ୍ମପୁର :-ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦକୁ ନେଇ ବିବାଦ ଦେଖାଦେଇଛି। ନିଗମ ତରଫରୁ ବଳପୂର୍ବକ ଘର ଭାଙ୍ଗିବା ଏବଂ ଉପଯୁକ୍ତ ଥଇଥାନ କରାଯାଇନଥିବା ଯୋଗୁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଥଇଥାନ ଏବଂ ଜାଗାର ପଟ୍ଟା ପ୍ରଦାନ ଦାବିରେ ଗୁରୁବାର ଶତାଧିକ ବସ୍ତି ବାସିନ୍ଦା ଆସି ମହାନଗର ନିଗମ କାର୍ଯ୍ୟାଳୟ ଘେରଉ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ଏବଂ ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ବାସିନ୍ଦାଙ୍କ ଅଭିଯୋଗ ହେଲା, ଉଚ୍ଛେଦ ପୂର୍ବରୁ ଥଇଥାନ କରାଯାଇ ନାହିଁ। ଅଳ୍ପ କେତେକଙ୍କୁ ରାଜୀବ ଆବାସ ଯୋଜନାରେ ଘର ମିଳିଛି। ଅନେକଙ୍କୁ ଘର ମିଳିନାହିଁ। ପୂର୍ବରୁ ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ମହାନଗର ନିଗମର ଅଧିକାରୀମାନେ ଗୁରୁତ୍ବ ଦେଲେ ନାହିଁ। ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ବଳପୂର୍ବକ ଘର ଭାଙ୍ଗି ଦିଆଗଲା। ଉଚ୍ଛେଦ ପରେ ରାତିରେ ଖୋଲା ଆକାଶ ତଳେ ଶୋଇଥିଲେ । ଭୋଗ ଉପବାସରେ ରହିଥିଲେ ମଧ୍ୟ କାହାରି ଦେଖା ନଥିଲା। ଏଣୁ ଯେଉଁ ଜାଗାରେ ରହୁଥିଲେ, ସେହି ଜାଗାର ପଟ୍ଟା ପ୍ରଦାନ, ନୂତନ ଗୃହ ନିର୍ମାଣ ଓ ଥଇଥାନ, ବର୍ତ୍ତମାନ ଉଚ୍ଛେଦ ଯୋଗୁ ଯେଉଁ କ୍ଷତି ହୋଇଛି ତାହାର ଭରଣା ଏବଂ ନୂତନ ଗୃହ ନିର୍ମାଣ ହେବା ପର୍ଯ୍ୟନ୍ତ ରହିବା ପାଇଁ ବ୍ୟବସ୍ଥା କରିବାକୁ ଦାବି

କରିଛନ୍ତି। ପରେ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଆୟୁକ୍ତ ନିଳମାଧବ ଭୋଇଙ୍କୁ ପ୍ରଦାନ କରାଯାଇଛି। ଧାରଣାରେ ବିଜେପି ନେତା ଉତ୍ତମ କୁମାର ପାଣିଗ୍ରାହୀ, ସବିତା ସୁଆର, କର୍ପୋରେଟର ବନିତା ସାହୁ ଏବଂ ରଞ୍ଜିତ ବେହେରାଙ୍କ ସମେତ ବହୁ ବସ୍ତି ବାସିନ୍ଦା ସାମିଲ ହୋଇଥିଲେ । ଶୁକ୍ରବାର ପୁଣି ଥରେ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଏହି ପ୍ରସଙ୍ଗରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ଜାତୀୟ ଗ୍ରୀନ୍‌ ଟ୍ରାଇବୁନାଲଙ୍କ ନିର୍ଦେଶ କ୍ରମେ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦ କରାଯାଇଛି। ଉକ୍ତ ବସ୍ତିର ସମସ୍ତ ୧୦୯ ପରିବାରଙ୍କୁ ନେହେରୁନଗର ଏବଂ ଆଇନା ବନ୍ଧ ସ୍ଥିତ ରାଜୀବ ଆବାସ ଯୋଜନାରେ ଘରେ ଥଇଥାନ ପାଇଁ ବହୁ ପୂର୍ବରୁ ସେମାନଙ୍କ ନାମରେ ଆବଣ୍ଟନ ପତ୍ର ହୋଇସାରିଛି। ସେମାନଙ୍କ ଅବଗତ ପାଇଁ ମାଇକ୍‌ ଜରିଆରେ ଜଣାଇ ଦିଆଯାଇଛି। ବର୍ତ୍ତମାନ ପୁନଃବାର ସମସ୍ତ ଆବଣ୍ଟନକାରୀଙ୍କୁ ଅନୁରୋଧ କରାଯାଉଛି, ସେମାନେ ନିଜ ନିଜର ଆବଣ୍ଟନ ପତ୍ର ନିଗମ କାର୍ଯ୍ୟାଳୟରୁ ଗ୍ରହଣ କରି ଆବଣ୍ଟିତ ହୋଇଥିବା ଗୃହକୁ ସ୍ଥାନାନ୍ତର ହେବା ପାଇଁ ଅନୁରୋଧ କରାଯାଉଛି। ଆବଣ୍ଟନର ଏକ ତାଲିକା ମହାନଗର ନିଗମ କାର୍ଯ୍ୟାଳୟସ୍ଥିତ ହାଉସିଂ ବିଭାଗରେ ଲଟକା ଯାଇଛି। ଯଦି କାହାର କୌଣସି ପ୍ରକାରେ ଆପତ୍ତି ଅଭିଯୋଗ ଥାଏ, ତେବେ ମହାନଗର ନିଗମର ହାଉସିଂ ସେକ୍ସନ ସ୍ଥିତ ହେଲପ ଡେକ୍ସ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରାଯାଇଛି।

nis-ad
Leave A Reply

Your email address will not be published.