ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ


ବ୍ରହ୍ମପୁର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ-ତଥା-ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ-ତଥା- ଗ୍ରାହକ ସୁରକ୍ଷା ପରିଷଦର ସମ୍ପାଦକ ସମସ୍ତଙ୍କୁ ସ୍ବାଗତ କରିବା ସହ ଗ୍ରାହକ ସୁରକ୍ଷା ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ଭୂମିକା ଏବଂ ଦାୟିତ୍ବ ଛଅ ଗୋଟି ଉପଭୋକ୍ତା ଅଧିକାର ବିଷୟରେ ଆଲୋଚନା ହୋଇଥିଲା । ଗ୍ରାହକ ସୁରକ୍ଷା ଆଇନ୍ -୨୦୧୯ ର ଉଦ୍ଦେଶ୍ୟ ଓ ଏହାର ଆଭିମୁଖ୍ୟ ବିଷୟରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଗ୍ରାହକଙ୍କ ସ୍ବାର୍ଥ ରକ୍ଷା କରିବା ଏବଂ ଉପଭୋକ୍ତା ବିବାଦର ସମାଧାନ ପାଇଁ ଏକ ସ୍ଥିର ତଥା ଦୃଢ ପ୍ରଣାଳୀ ପ୍ରତିଷ୍ଠା କରିବା ଏହି ଆଇନ୍ ର ମୂଳ ଲକ୍ଷ୍ୟ । ଜୀବନ ଏବଂ ସମ୍ପତ୍ତି ପାଇଁ ବିପଦ ଜନକ ଦ୍ରବ୍ୟ ବ୍ଯବହାର ନକରିବା ପାଇଁ ସଚେତନ କରାଯାଇଥିଲା । ଗ୍ରାହକଙ୍କୁ ସାମଗ୍ରୀର ଗୁଣବତ୍ତା, କ୍ଷମତା, ପରିମାଣ ମାନକ, ଶୁଦ୍ଧତା ଏବଂ ମୂଲ୍ୟ ବିଷୟରେ ସୂଚନା ଦେବା, ଗ୍ରାହକଙ୍କ ଅଧିକାର ଏବଂ ସ୍ବାର୍ଥର ସୁରକ୍ଷା ପାଇଁ ଗ୍ରାହକ ସୁରକ୍ଷା ପରିଷଦ ଗଠନ କରିବା , ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା, ଦ୍ରବ୍ୟର ମୂଲ୍ୟ, ଦ୍ରବ୍ୟ ପ୍ୟାକିଂ ତାରିଖ ଏବଂ ଅବଧି ଶେଷ ତାରିଖ ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଗ୍ରାମାଞ୍ଚଳରେ ଗ୍ରାହକ ମାନଙ୍କୁ ସଚେତନ କରାଇବା, ବ୍ଲକ୍, ତହସିଲ, ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରରେ ଗୋଟିଏ ଗୋଟିଏ ସଚେତନତା ଶିବିର କରି ଗ୍ରାହକ ମାନଙ୍କୁ ବୁଝାଇବାକୁ ପଡିବ । ଅନ୍ ଲାଇନ୍ ରେ ମଧ୍ୟ ଗ୍ରାହକ ମାନଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ବିଦ୍ୟାଳୟ ଗୁଡିକରେ ଟେଷ୍ଟିଂ ଲ୍ୟାବ୍ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ଜାତୀୟ ଖାଉଟି ସହାୟତା ନମ୍ବରରେ ଗ୍ରାହକ ଅଭିଯୋଗ ଦାଖଲ କରିପାରିବେ । ଅନ୍ ଲାଇନ୍ ଠକେଇ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଆମ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଉପଭୋକ୍ତା ସୁରକ୍ଷା କେନ୍ଦ୍ର, ଉପଭୋକ୍ତା ପରାମର୍ଶ କେନ୍ଦ୍ରରେ ଗ୍ରାହକ ଅଭିଯୋଗ କରିପାରିବେ । ଜିଲ୍ଲା ଉପଭୋକ୍ତା ବିବାଦସମାଧାନ ଆୟୋଗର ସଦସ୍ୟ ସତୀଶ୍ ପାଣିଗ୍ରାହୀ ସମସ୍ତ ବିଷୟ ଉପସ୍ଥାପନ କରିଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷାମୁଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ବୈଠକରେ ଦୁଇ ଜଣ ବିଧାୟକ ଏବଂ ବିଧାୟକଙ୍କ ପ୍ରତିନିଧିଗଣ, ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ସଭ୍ୟ ପ୍ରଶାନ୍ତ କୁମାର ମହାରଣା, ସୟଦ ମୁକ୍ତାର, ସାଗରୀକା ପଣ୍ଡା, ରାଜୀବ ଲୋଚନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଭ୍ଯ/ସଭ୍ୟା ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.