କ୍ୟାବିନେଟ ନିଷ୍ପତ୍ତି : ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି,ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ୍

ନୂଆଦିଲ୍ଲୀ : ଘରୋଇ ରନ୍ଧନ ଗ୍ୟାସ ବାବଦ କ୍ଷତି ଭରଣା ପାଇଁ ସରକାର ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନଙ୍କୁ ୨୨ ହଜାର କୋଟି ପ୍ରଦାନ କରିବେ । ଏହି କମ୍ପାନିମାନେ ହେଲେ ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ ଓ ଅଏଲ ଇଣ୍ଡିଆ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦେଶରେ ନିୟମିତ ଭାବେ ଏଲପିଜି ସିଲିଣ୍ଡରର ଦର ବଢିଚାଲିଥିଲେ ବି ତାହା ଅନ୍ତର୍ଜାତୀୟ ଦରଠାରୁ କମ ରହିଛି । ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ୩୦୦ ପ୍ରତିଶତ ବଢିଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନିମାନେ ଜୁନ ୨୦୨୦ରୁ ଜୁନ ୨୦୨୨ ମଧ୍ୟରେ ୨୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ।
କେନ୍ଦ୍ର କ୍ୟାବିନେଟ୍ ରେଳ କର୍ମଚାରୀଙ୍କ ପାଇଁ ଦିପାବଳୀ ବୋନସକୁ ମଂଜୁରୀ ଦେଇଛନ୍ତି । ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଦିଆଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ୧୧.୨୭ ଲକ୍ଷ କର୍ମଚାରୀଙ୍କୁ ଏହି ବୋନସ ଦିଆଯିବ ଓ ଏଥିପାଇଁ ରେଳବାଇ ଉପରେ ୧୮୩୨ କୋଟି ଟଙ୍କାର ବ୍ୟୟଭାର ପଡ଼ିବ ।

ଅନ୍ୟପକ୍ଷରେ ମଲଟି-ଷ୍ଟେଟ କୋପରେଟିଭ ସୋସାଇଟି ଆଇନ-୨୦୦୨ରେ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ଠାକୁର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.