ଲକ୍ଷ୍ନୌ: ମୋ ସମ୍ପତି ଯାଉ ପଛେ, ମନ୍ଦିର ଆଗ ନିର୍ମାଣ ହେଉ | କିଛି ଏଭଳି ଚିନ୍ତା କରି ମନ୍ଦିର ନିର୍ମାଣ ପାଇଁ ନିଜର ବହୁ ମୂଲ୍ୟ ଜମି ପ୍ରଶାସନକୁ ଦାନ କରିଦେଇଛନ୍ତି ଜଣେ ମୁସଲମାନ ବ୍ୟକ୍ତି | ବାସ୍ତବରେ ହିନ୍ଦୁ-ମୁସଲମାନ ଏକତାର ଏମିତି ଏକ ଅନନ୍ୟ ଉଦାହରଣ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଜଣେ ମୁସଲମାନ ବ୍ୟକ୍ତି ହନୁମାନ ମନ୍ଦିର ପାଇଁ ତାଙ୍କ ଜମି ଦାନ କରିଛନ୍ତି । ଅସମତ ଉଲା ଖାନ ଓରଫ ବାବୁ ଅଲି ତାଙ୍କ ଜମି ଜିଲ୍ଲା ପ୍ରଶାସନକୁ ଦାନ କରିଛନ୍ତି ଯାହା ଦ୍ୱାରା ସେଠାରେ ହନୁମାନ ମନ୍ଦିରକୁ ସ୍ଥାନାନ୍ତର କରାଯାଇପାରିବ |
ମିଳିଥିବା ସୂଚନା ମୁତାବକ ଦିଲ୍ଲୀ-ଲକ୍ଷ୍ନୌ ଜାତୀୟ ରାଜପଥ(ଏନଏଚ୨୪) ସମ୍ପ୍ରସାରଣ କରାଯାଉଛି ଏବଂ ମନ୍ଦିର ଯୋଗୁଁ କାଚିଆନି ଗ୍ରାମରେ ପ୍ରଶସ୍ତ କରିବାର ପ୍ରକଳ୍ପ ଆଗେଇ ପାରିନଥିଲା | ଏହାକୁ ହୃଦୟଙ୍ଗମ କରି ବାବୁ ଅଲି ପ୍ରକଳ୍ପ ନିକଟରେ ଥିବା ତାଙ୍କର ୦.୬୫ ହେକ୍ଟର ଜମି ପ୍ରଶାସନକୁ ଦେଇଥିଲେ, ଯାହା ଦ୍ୱାରା ହନୁମାନ ମନ୍ଦିର ସେଠାକୁ ସ୍ଥାନାନ୍ତର ହୋଇପାରିବ।
ବାବୁ ଅଲି କହିଛନ୍ତି ଯେ ତାଙ୍କ ଅଂଚଳରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଥିବା ଏକତାକୁ ଦେଖିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସବକା ସାଥ-ସବକା ବିକାଶ ଦ୍ୱାରା ଅନୁପ୍ରାଣିତ ହୋଇ ସେ ବଜରଙ୍ଗବାଲି ହନୁମାନଙ୍କ ନାମରେ ହନୁମାନ ମନ୍ଦିର ପାଇଁ ତାଙ୍କର ମୂଲ୍ୟବାନ ଜମି ଦାନ କରିଛନ୍ତି। ମଙ୍ଗଳବାର ଦିନ ବାବୁ ଅଲି ତାଙ୍କ ଜମି ପ୍ରଶାସନକୁ ଦାନ କରିଥିବାବେଳେ ଏବେ ସେଠାରେ ହନୁମାନ ମନ୍ଦିର ସ୍ଥାନାନ୍ତର କରାଯାଇପାରିବ | ଯାହାଦ୍ୱାରା ହାଇୱେ ସମ୍ପ୍ରସାରଣରେ ଆଉ ବାଧା ଉପୁଜିବ ନାହିଁ |