ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶଶି ଥରୁର ବାଧ୍ୟ ହୋଇ ଦୁଇ ଦିନରେ ଦୁଇଥର ନିଜର ଉତ୍ତର ପ୍ରଦେଶ ଗସ୍ତ ବାତିଲ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ରାଜ୍ୟର ରାଜଧାନୀ ଲକ୍ଷ୍ନୌ ଗସ୍ତ ନ କରିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମଲ୍ଲିକାର୍ଜୁନ ଖାଡଗେଙ୍କ ସମର୍ଥକଙ୍କ ସହ ମାରପିଟର ଆଶଙ୍କା ଥିବାରୁ ଥରୁରଙ୍କୁ ଲକ୍ଷ୍ନୌ ଯିବାକୁ ବାରଣ କରାଯାଇଥିଲା।
ଖାଡଗେ ଯେଉଁ ଦିନ ନିଜ ସପକ୍ଷରେ ଦଳର ସମର୍ଥନ ହାସଲ କରିବାକୁ ଲକ୍ଷ୍ନୌ ଯିବାର ଥିଲା, ସେହିଦିନ ଥରୁର ମଧ୍ୟ ସେଠାକୁ ଯାଇଥାଆନ୍ତେ। ବିବାଦ ଆଶଙ୍କାରେ ଦଳ ପକ୍ଷରୁ ଥରୁରଙ୍କୁ ପଛଘୁଞ୍ଚା ଦେବାକୁ କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ବରିଷ୍ଠ ନେତା ଶଶି ଥରୁରଙ୍କୁ ସୋମବାର ଲକ୍ଷ୍ନୌରେ ପ୍ରଚାର ନ କରିବାକୁ କହିଥିଲେ। ସମାଜବାଦୀ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ଯୋଗୁ ତାଙ୍କୁ ସୋମବାର ଲକ୍ଷ୍ନୌରେ ପ୍ରଚାର ନ କରି ମଙ୍ଗଳବାର କରିବାକୁ ବରିଷ୍ଠ ନେତା ଜଣଙ୍କ କହିଥିଲେ।
କିନ୍ତୁ ମଙ୍ଗଳବାର ଖାଡଗେ ମଧ୍ୟ ଲକ୍ଷ୍ନୌ ଗସ୍ତରେ ଯିବାର ଥିଲା। ତେଣୁ ପ୍ରଚାର କରିବା ବେଳେ ତାଙ୍କ ସମର୍ଥକଙ୍କ ସହ ବିବାଦ ସୃଷ୍ଟି ହେବାର ଆଶଙ୍କା ଥିବା ଦଳୀୟ ନେତାମାନେ ଆଶଙ୍କା କରିଥିଲେ। ଏଥିପାଇଁ ମଙ୍ଗଳବାର ମଧ୍ୟ ଥରୁରଙ୍କୁ ଲକ୍ଷ୍ନୌ ନ ଆସିବାକୁ କୁହାଯାଇଥିଲା। ସେ ବାଧ୍ୟ ହୋଇ ପ୍ରଚାର କରିବାକୁ ଯାଇ ପାରି ନାହାନ୍ତି।
ଏବେ ଥରୁର ଅକ୍ଟୋବର ୧୬ରେ ଲକ୍ଷ୍ନୌ ଯାଇ ନିଜ ସପକ୍ଷରେ ଭୋଟ ମାଗିବେ। ୧୭ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବ।
ତେବେ ଦୁଇ ଦିନରେ ଦୁଇଥର ଥରୁରଙ୍କ ପ୍ରଚାର ଅଭିଯାନ ବାତିଲ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କ’ଣ ୟୁପିର ବରିଷ୍ଠ କଂଗ୍ରେସ ନେତାମାନେ ଥରୁରଙ୍କୁ ଜାଣିଶୁଣି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ଏଠାରେ ୧୨ଶହରୁ ଅଧିକ କଂଗ୍ରେସ ପଦାଧିକାରୀ ଭୋଟ ଦେବେ। ତେଣୁ ଉଭୟ ଖାଡଗେ ଓ ଥରୁର ୟୁପି ଉପରେ ଫୋକସ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.