ୟୁକ୍ରେନକୁ ବଡ଼ ହମଲାର ଧମକ ଦେଲେ ପୁଟିନ

ମସ୍କୋ: ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଏକାଧିକ ସ୍ଥାନରେ ଆଜି ରୁଷ ପକ୍ଷରୁ ପ୍ରଚଣ୍ଡ ହମଲା କରାଯାଇଛି। ୭୦ରୁ ଅଧିକ ମିଶାଇଲ ରୁଷ ମାଡ଼ କରିବା ପରେ ୟୁକ୍ରେନ ସ୍ଥିତି ବେହାଲ ହୋଇଛି। ଏଥିରେ ଏଯାଏ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଇରାନରୁ ଆଣିଥିବା ଡ୍ରୋନ ଠାରୁ ଆରମ୍ଭ ବିଭିନ୍ନ ଅତ୍ୟାଧୁନିକ ରକେଟ ଲଞ୍ଚର ଦ୍ୱାରା ରୁଷ ହମଲା କରିଛି। ଏହି ହମଲା ପରେ ବି ୟୁକ୍ରେନକୁ ଧମକ ଦେବା ପାଇଁ ଭୁଲି ନାହାନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। କ୍ରିମିଆ ବ୍ରିଜ୍‌ ଉପରେ ୟୁକ୍ରେନ ହମଲା କରି ଏହାକୁ ଉଡ଼ାଇ ଦେଇଥିବାରୁ ରୁଷ ଆଜି ପ୍ରତିଶୋଧ ନେଇଥିବା ପୁଟିନ କହିଛନ୍ତି। ସେହିପରି ଆଗକୁ ଯଦି ୟୁକ୍ରେନ କ୍ରିମିଆ ଭଳି ଆକ୍ରମଣ କରେ, ତା’ହେଲେ ଏହାର ଜବାବ ଆହୁରି ଭୟଙ୍କର ଢଙ୍ଗରେ ଦିଆଯିବ ବୋଲି ପୁଟିନ ଖୋଲାଖୋଲି କହିଛନ୍ତି।
ରୁଷର ସୁରକ୍ଷା ପରିଷଦ ବୈଠକରେ ଯୋଗଦେଇଥିବା ପୁଟିନ କହିଛନ୍ତି, ଆଜି ସକାଳେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରସ୍ତାବ ଓ ରୁଷିଆନ ଜେନେରାଲ ଷ୍ଟାଫଙ୍କ ଯୋଜନା ଅନୁସାରେ ପ୍ରଚଣ୍ଡ ହମଲା କରାଯାଇଛି। ଦୂରଗାମୀ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ମିଶାଇଲ ଦ୍ୱାରା ବାୟୁ, ସମୁଦ୍ର ଓ ସ୍ଥଳ ଭାଗରୁ ୟୁକ୍ରେନକୁ ଟାର୍ଗେଟ କରାଯାଇଛି।
ୟୁକ୍ରେନର ଶକ୍ତି, ମିଲିଟାରୀ କମାଣ୍ଡ ଓ ଯୋଗାଯୋଗ ବ୍ୟବସ୍ଥାକୁ ଧ୍ୱଂସ କରାଯାଇଛି। ଯଦି ଆଗକୁ ଆମ ସୀମାରେ ଆତଙ୍କୀ ହମଲା କରିବାକୁ ଚେଷ୍ଟା କରଯାଏ, ତା’ହେଲେ ରୁଷିଆ ଏହା ଠାରୁ ଆହୁରି ଭୟଙ୍କର ଢଙ୍ଗରେ ଜବାବ ଦେବାକୁ ପଛାଇବ ନେହିଁ। ଆମେ କୌଣସି ପ୍ରକାରର ବିପଦକୁ ଡରିବୁ ନାହିଁ। ଆମ ଚେତାବନୀକୁ ନେଇ କେହି ସନ୍ଦେହରେ ରହିବା ଠିକ୍‌ ନୁହେଁ। ଫରେନ୍ସିକ ଓ ଅନ୍ୟ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ କ୍ରିମିଆ ବ୍ରିଜ୍‌ ଉପରେ ହୋଇଥିବା ବିସ୍ଫୋରଣ ଗୋଟିଏ ଆତଙ୍କୀ କାର୍ଯ୍ୟକଳାପ। ରୁଷର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିବାକୁ ଏପରି ହମଲା କରାଯାଇଥିଲା। ୟୁକ୍ରେନର ଗୁଇନ୍ଦା ସର୍ଭିସ ହିଁ ଏଥିପାଇଁ ନିର୍ଦ୍ଦେଶ ଓ ଯୋଜନା କରିଥିଲା। ଏକାଧିକ ଆତଙ୍କୀ ହମଲା ଓ ହମଲା ଉଦ୍ୟମ ଆମ ବିଜୁଳି ବ୍ୟବସ୍ଥା ଓ ଗ୍ୟାସ ପରିବହନ ଭିତ୍ତିଭୂମିରେ କରାଯାଇଛି। ତୁର୍କଷ୍ଟ୍ରିମ ଗ୍ୟାସ ଟ୍ରାନ୍ସମିସନ ବ୍ୟବସ୍ଥାକୁ ମଧ୍ୟ ଧ୍ୱଂସ ପାଇଁ ଉଦ୍ୟମ ହୋଇଥିଲା। ଏହି ଘଟଣାରେ ଧରା ପଡ଼ିଥିବା ଆତଙ୍କବାଦୀମାନେ ସବୁ କଥା କହିଛନ୍ତି। ଆମେ ଜାଣିଛୁ ଏସବୁରୁ ‍ଫାଇଦା କିଏ ପାଇଛି। କିଭ୍‌ ଶାସକ ଏପରି ଆଚରଣ କରି ନିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଗ୍ରୁପ୍‌ରେ ସାମିଲ କରିଛନ୍ତି। ରୁଷ କେବେ ହେଲେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦେଖି ଚୁପ ରହିବ ନାହିଁ ବୋଲି ପୁଟିନ କହିଛନ୍ତି।

nis-ad
Leave A Reply

Your email address will not be published.