ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଦୁଇ ଦିନରେ ଦ୍ୱିତୀୟ ଘଟଣା

ମୁମ୍ବାଇ: ବନ୍ଦେ ଭାରତ ଏକ୍ସପ୍ରେସର ବେଳା ଖରାପ ଚାଲିଥିବା ଭଳି ଲାଗୁଛି। କାରଣ ଏହି ଦ୍ରୁତଗାମୀ ଟ୍ରେନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମୁମ୍ବାଇ ସେଣ୍ଟ୍ରାଲ ଓ ଗାନ୍ଧିନଗର ମଧ୍ୟରେ ଯାତାୟାତ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାକ ଅତିକ୍ରମ କରୁଥିବା ଗୋଟିଏ ଗାଈ ଦେହରେ ପିଟି ହୋଇଯାଇଛି। ଫଳରେ ଏହାର ସାମ୍ନା ପଟ କିଛି ମାତ୍ରରେ କ୍ଷତିଗ୍ରସ୍ତ ହୋଇଛି। ଗତକାଲି ଗୁଜରାଟର ଭାତଭା ଓ ମଣିନଗର ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଗୋଟିଏ ମଇଁଷି ଦେହରେ ପିଟି ହୋଇଥିଲା। ଦୁଇ ଦିନରେ ଦୁଇଟି ଘଟଣା ପରେ ବନ୍ଦେ ଭାରତ ଏକ୍ସପ୍ରେସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ଶୁକ୍ରବାର ଘଟଣା ସମ୍ପର୍କରେ ଜଣେ ରେଳବାଇ ଅଧିକାରୀ କହିଛନ୍ତି, ଗୁଜରାଟର ଆନନ୍ଦ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଗୋଟିଏ ଗାଈକୁ ଧକ୍କା ଦେଇଛି। ଫଳରେ ଟ୍ରେନର ନୋଜ ପାର୍ଟ ବା ସମ୍ମୁଖ ଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। କେବଳ ସାମ୍ନା ପଟ ଚେପା ହୋଇଥିବା ବେଳେ କୌଣସି ପ୍ରକାରର ବଡ଼ ଅଘଟଣ ଘଟିନାହିଁ।
ଅପରାହ୍ନ ପ୍ରାୟ ୩.୪୪ରେ ଏହି ଘଟଣା ଘଟିଥିଲା। ଟ୍ରେନଟି ଗାନ୍ଧିନଗରରୁ ମୁମ୍ବାଇ ଯାଉଥିଲା। ଘଟଣା ପରେ ଟ୍ରେନଟି ପ୍ରାୟ ୧୦ ମିନିଟ ଅଟକି ରହିଥିଲା। ଏହାପରେ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଥିଲା ବୋଲି ସେ କହିଛନ୍ତି। ଘଟଣା ପରେ ଗାଈର ମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।
ଅନ୍ୟପକ୍ଷରେ ଦୁଇ ଦୁଇଟି ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଟ୍ରାକରେ ପଶୁଙ୍କ ସହ ଟ୍ରେନର ଧକ୍କା ହେବା ଘଟଣାକୁ ଏଡ଼ାଇ ଦିଆଯାଇ ପାରିବନି। ଖାସ ଏହି କାରଣ ପାଇଁ ସେମି ହାଇସ୍ପିଡ ଟ୍ରେନର ଡିଜାଇନକୁ ଅନୁରୂପ ଭାବେ କରାଯାଇଛି।

nis-ad
Leave A Reply

Your email address will not be published.