ଭାରତୀୟ ଔଷଧ କମ୍ପାନୀଙ୍କ ଜାଲିଆତି, ବିଦେଶରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର।ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଘଟଣାର ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଡ୍ରଗସ କମ୍ପାନୀ ଦ୍ୱାରା ନିର୍ମିତ ଥଣ୍ଡା ଓ କାଶ ସିରପ୍ ସେବନ ପରେ ଗାମ୍ବିଆରେ କିଛି ଶିଶୁ ଗୁରୁତର ହେବା ସହ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି।
ଔଷଧ ସେବନପରେ ଶିଶୁମାନଙ୍କ ଠାରେ କିଡନୀ ସମସ୍ୟା ଦେଖାଯିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଶିଶୁମାନଙ୍କ ମୃତ୍ୟୁ ସେମାନଙ୍କ ପରିବାର ପାଇଁ ଅତ୍ୟନ୍ତ ହୃଦୟ ବିଦାରକ ବୋଲି ସଂଗଠନ କହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତୀୟ ଔଷଧ ନିର୍ମାତା ଓ ଡ୍ରଗ୍ସ ନିୟାମକ ସହ ମିଶି ମିଳିତ ଭାବେ ଆହୁରି ତଦନ୍ତ କରାଯାଉଛି । ଔଷଧ ନମୁନାରେ ଡାଇ ଇଥାଇଲିନ୍ ଗ୍ଲାଇକଲ ଓ ଏଥିଲିନ୍ ଗ୍ଲାଇକଲ୍ ଥିବା ସୂଚନା ମିଳିଛି । ଏଗୁଡିକ ଅତ୍ୟନ୍ତ ବିଷାକ୍ତ ଓ ମନୁଷ୍ୟପାଇଁ ଘାତକ । ଏହାଦ୍ୱାରା ପେଟରେ ଯନ୍ତ୍ରଣା, ବାନ୍ତି, ଝାଡା, ପରିସ୍ରାରେ ସମସ୍ୟା, ମୁଣ୍ଡ ବିନ୍ଧା, ମାନସିକ ଅବସ୍ଥାରେ ପରିବର୍ତ୍ତନ ସହ ଗୁରୁତର କିଡନି ସମସ୍ୟା ଦେଖା ଦେଇଥାଏ। ଏଥିଯୋଗୁଁ ରୋଗୀର ମୃତ୍ୟୁ ହୋଇଥାଏ ବୋଲି ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆରେ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ୱାରା ଏକ କଫ ସିରପ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ପିଲା ମାନେ ସେବନ କରିବା ଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଛି ।
ଆଗକୁ ଏହି କଫ ସିରପ ବ୍ୟବହାର ନକରିବାକୁ ଡବ୍ଲୁଏଚଓ ଚେତାବନୀ ଦେଇଛି । ବୁଧବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ପ୍ରସ୍ତୁତ ହୋଇଥିବା ଡାଏଥାଇଲନ୍ ଗ୍ଲାଇକଲ୍ ଏବଂ ଇଥିଲିନ୍ ଗ୍ଲାଇକଲ୍ କାଶ ଔଷଧ ମଣିଷ ପାଇଁ ବିଷ ସଦୃଶ । ଏହାକୁ ନେଇ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ସିରପ ଖାଇବା ଦ୍ୱାରା ପିଲାମାନଙ୍କ କିଡନୀ ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି । ପିଲାମାନଙ୍କର ମୃତ୍ୟୁର କାରଣ କାଶ ଔଷଧ ବୋଲି ଜଣାପଡ଼ିଛି । ଅନ୍ୟ ଦେଶ ମାନଙ୍କୁ ମଧ୍ୟ ଏନେଇ ଚେତାବନୀ ଦିଆଯାଇଛି ।
କଫ ସିରପକୁ ବଜାରରୁ ହଟାଇବାକୁ ଚେତାବନୀ ଦେଇଛି ଡବ୍ଲୁଏଚଓ । ତାହା ସହ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ଡବ୍ଲୁଏଚଓ କହିଛି ।

nis-ad
Leave A Reply

Your email address will not be published.