କେସିଆର୍‌ଙ୍କ ‘ଟିଆର୍‌ଏସ୍‌’ ଏବେ ‘ବିଆର୍‌ଏସ୍‌’, ବିଜେପିକୁ ଦେବ ଟକ୍କର୍‌

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ଦଶହରା ପର୍ବ ଅବସରରେ ରାଷ୍ଟ୍ରୀୟ ଦଳ ଗଠନ କରିଛନ୍ତି। ତାଙ୍କ ରାଷ୍ଟ୍ରୀୟ ଦଳର ନାଁ ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍‌। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଏବେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ହୋଇଛି ବୋଲି ସେ ଘୋଷଣା କରିଛନ୍ତି। କେନ୍ଦ୍ରର ବିଜେପି ସରକାରକୁ ଟକ୍କର ଦେବାକୁ କେସିଆର୍‌ ଏହି ଦଳ ଗଠନ କରିଛନ୍ତି। ଏଥିପାଇଁ ସେ ଦୀର୍ଘ ଦିନ ଧରି ଯୋଜନା ପ୍ରସ୍ତୁତ କରିଥିଲେ।
୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି। ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ନିଜକୁ ଜାତୀୟ ନେତା ଭାବେ ପରିଚିତ କରାଇବା ପାଇଁ ଓ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। ଆଉ ଏହି କ୍ରମରେ ସେ ଆଜି ନିଜର ରାଷ୍ଟ୍ରୀୟ ଦଳ ଗଠନ କରିଛନ୍ତି।
ରାଷ୍ଟ୍ରୀୟ ଦଳ ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କେସିଆର୍‌ ନିଜର ସମସ୍ତ କ୍ୟାବିନେଟ୍‌ ସହଯୋଗୀ ଓ ଦଳର ସମସ୍ତ ୩୩ ଜିଲ୍ଲାଧ୍ୟକ୍ଷଙ୍କୁ ନେଇ ଏକ ବୈଠକ କରିଥିଲେ। ଏହି ସମୟରେ ସେ ନିଜର ରାଷ୍ଟ୍ରୀୟ ଦଳର ଶୁଭାରମ୍ଭ ନେଇ ରୋଡ୍‌ମ୍ୟାପ୍‌ ଉପରେ ଚର୍ଚ୍ଚା କରିଥିଲେ।
ପୂର୍ବରୁ ମଧ୍ୟ ଅନେକ ଥର କେସିଆର୍‌ ବିଭିନ୍ନ ଜନସଭାରେ ଖୁବ୍‌ଶୀଘ୍ର ଏକ ରାଷ୍ଟ୍ରୀୟ ଦଳ ଗଠନ କରିବାକୁ ଘୋଷଣା କରିଥିଲେ। ଆଉ ଏହି ଦଳ ବିଜେପିକୁ ଟକ୍କର୍‌ ଦେବ ବୋଲି ମଧ୍ୟ ସେ ସିଧାସଳଖ କହିଥିବା ନଜିର ରହିଛି। ସେପଟେ ଏହାକୁ ନେଇ ବିଜେପି ତେଲେଙ୍ଗାନା ମୁଖପାତ୍ର ଏନ.ଭି ସୁଭାଷ କହିଛନ୍ତି, ‘ଜାତୀୟ ରାଜନୀତିରେ ପ୍ରବେଶ କରି ତାଙ୍କ ସରକାରଙ୍କ ବିଫଳତାକୁ ଦୂର କରିବା ପାଇଁ କେସିଆର ରଣନୀତି କରିଛନ୍ତି।’

nis-ad
Leave A Reply

Your email address will not be published.