ସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ସ୍ୱାସ୍ଥ୍ୟ କ୍ଲିନିକ୍‌ ଖୋଲିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର କହିଛନ୍ତି ଯେ ସରକାର ରାଜ୍ୟରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ଆପ୍ଲା ଦାଭାଖାନା (ସ୍ୱାସ୍ଥ୍ୟ କ୍ଲିନିକ୍‌) ସ୍ଥାପନ କରିବେ।
ଏସଂପର୍କରେ ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ତାଙ୍କ ସରକାରର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି ଏବଂ ରାଜ୍ୟର ସ୍ୱାସ୍ଥ୍ୟ ବଜେଟ୍‌ ଦ୍ୱିଗୁଣିତ କରାଯିବ।
ଆପ୍ଲା ଦାଭାଖାନା ପଦକ୍ଷେପ ପଛର ଉଦ୍ଦେଶ୍ୟ ହେଉଛି ରାଜ୍ୟବାସୀଙ୍କୁ ସେମାନଙ୍କ ଘର ନିକଟରେ ଚିକିତ୍ସା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟରେ ଏହିପରି ପ୍ରାୟ ୭୦୦ଟି କ୍ଲିନିକ୍‌ ଖୋଲାଯିବ ଏବଂ କେବଳ ମୁମ୍ବାଇରେ ୨୨୭ଟି କ୍ଲିନିକର ସୁବିଧା ରହିବ; ଯେଉଁଥିରୁ ୫୦ଟି ଅକ୍ଟୋବର ୨ରେ ଆରମ୍ଭ ହୋଇଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି।
ଆଗାମୀ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍‌ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ଅଟେ। ଶିବସେନାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ସେମାନଙ୍କର ବାର୍ଷିକ ଦଶହରା ରାଲି ଆୟୋଜନ କରିବାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ଏହି ଘୋଷଣା କରାଯାଇଛି।
ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଏକ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ସର୍ବୋତ୍ତମ ଗୁଣାତ୍ମକ ଚିକିତ୍ସା ପାଇପାରିବେ ବୋଲି ସିନ୍ଦେ କହିଛନ୍ତି। ଜିଲ୍ଲା ସ୍ତରରେ ଥିବା ମେଡିକାଲ କଲେଜଗୁଡ଼ିକ ନିଶ୍ଚିତ କରିବେ ଯେ ଗ୍ରାମାଞ୍ଚଳରେ ଯେପରି ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ଏବଂ ପାରାମେଡିକାଲ୍‌ କର୍ମଚାରୀ ମିଳିବେ ବୋଲି ସେ କହିଛନ୍ତି। ଏହାବ୍ୟତୀତ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ଉପ-ଡାକ୍ତରଖାନା ଏବଂ ଗ୍ରାମୀଣ ଡାକ୍ତରଖାନାଗୁଡ଼ିକୁ ଗ୍ରେଡ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ରାଜ୍ୟରେ କ୍ୟାଥେରାଇଜେସନ୍‌ ପରୀକ୍ଷାଗାର ମଧ୍ୟ ଖୋଲିବେ।

nis-ad
Leave A Reply

Your email address will not be published.