ଭାରତରେ ପ୍ରଥମ: କଶ୍ମୀରରେ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରର ରଜୌରୀ ରାଲିରେ ସମ୍ବୋଧନ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମ୍ପର୍କରେ ଘୋଷଣା କରିଛନ୍ତି। କଶ୍ମୀରରେ ରହୁଥିବା ଗୁଜ୍ଜର ଓ ବକରୱାଲ୍ସଙ୍କ ବ୍ୟତୀତ ପାହାଡ଼ି ସଂପ୍ରଦାୟ ଲୋକଙ୍କ ପାଇଁ ଖୁବଶୀଘ୍ର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି।
ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ଭଳି ଏହି ସଂପ୍ରଦାୟର ଲୋକଙ୍କୁ ମଧ୍ୟ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ମିଳିବ। ଯଦି ପାହାଡ଼ି ସଂପ୍ରଦାୟର ଲୋକ ଏସ୍‌ଟି ମାନ୍ୟତା ପାଇବେ, ତା’ହେଲେ ପ୍ରଥମଥର ପାଇଁ ଭାରତରେ ଏପରି ଘଟଣା ଘଟିବ। ଭାରତରେ ଏଯାଏ ପାହାଡ଼ି ସଂପ୍ରଦାୟର ଲୋକଙ୍କ ପାଇଁ କୌଣସି ପ୍ରକାରର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇନାହିଁ।
ପାହାଡ଼ିମାନଙ୍କୁ ସଂରକ୍ଷଣ ଦେବାକୁ ହେଲେ କେନ୍ଦ୍ର ସରକାରଙ୍କୁ ସଂରକ୍ଷଣ ଆଇନକୁ ସଂଶୋଧନ କରିବାକୁ ପଡ଼ିବ। ଆସନ୍ତାବର୍ଷ ସମ୍ଭବତଃ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଶାହ ଆଜି ଠାରୁ ବିଜେପିର ପ୍ରଚାର ବିଗୁଲ ଫୁଙ୍କିଛନ୍ତି। ଏହି ସମୟରେ ସେ କହିଛନ୍ତି, “ଉପ ରାଜ୍ୟପାଳଙ୍କ ଦ୍ୱାରା ଗଠନ ହୋଇଥିବା କମିଶନ ରିପୋର୍ଟ ଦେଇଛନ୍ତି। ଏଥିରେ ଗୁଜ୍ଜର, ବକରୱାଲ ଓ ପାହାଡ଼ି ସଂପ୍ରଦାୟର ଲୋକଙ୍କୁ ସଂରକ୍ଷଣ ଦେବାକୁ ସୁପାରିସ କରାଯାଇଛି। ଖୁବଶୀଘ୍ର ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।”
ଶ୍ରୀ ଶାହ ଦାବି କରିଛନ୍ତି ଯେ ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସକ୍ଷମ ହୋଇଛି। ବର୍ତ୍ତମାନ ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ପାହାଡ଼ିମାନେ ସେମାନଙ୍କ ଅଧିକାର ପାଇବେ ବୋଲି ଶ୍ରୀ ଶାହ କହିଛନ୍ତି।
ଜମ୍ମୁ-କଶ୍ମୀରା ପାହାଡ଼ି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷ। ଏମାନଙ୍କ ମଧ୍ୟରୁ ୫୫% ହେଉଛନ୍ତି ହିନ୍ଦୁ ଓ ବାକି ମୁସଲିମ। ଶାହ ପାହାଡ଼ିମାନଙ୍କୁ ଆଦିବାସୀ ମାନ୍ୟତା ଦେବା ସପକ୍ଷରେ ଥିବା ବେଳେ ଏହାକୁ ଗୁଜ୍ଜର ଓ ବକରୱାଲ ସଂପ୍ରଦାୟର ଲୋକ ବିରୋଧ କରୁଛନ୍ତି। କେବଳ ଭାଷା ଆଧାରରେ ଭଲ ସ୍ଥିତିରେ ଥିବା ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି।
ତେବେ ଶାହ କହିଛନ୍ତି, “ବର୍ତ୍ତମାନ ଅନୁସୂଚିତ ଜନଜାତି ବର୍ଗରେ ଥିବା ଲୋକମାନେ କିଛି ବି ହରାଇବେ ନାହିଁ। କିଛି ଲୋକ ଗୁଜ୍ଜର ଓ ବକରୱାଲମାନଙ୍କୁ ଉସକାଉଛନ୍ତି। କିନ୍ତୁ ସେମାନେ ଏହି ଷଡ଼ଯନ୍ତ୍ରକୁ ବୁଝିବା ଦରକାର।” ଧାରା ୩୭୦ ହଟିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜମ୍ମୁ-କଶ୍ମୀରବାସୀ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ପାଇଁ ଶ୍ରୀ ଶାହ ପରାମର୍ଶ ଦେଇଛନ୍ତି।

nis-ad
Leave A Reply

Your email address will not be published.