ପୂଜାରେ କଡ଼ା ନଜର ରଖ: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ଏବେ ଦୁର୍ଗା ପୂଜା ଚାଲିଥିବା ବେଳେ ଆଗକୁ କାଳୀ ପୂଜା ଓ ଅନ୍ୟାନ୍ୟ ପର୍ବ ଆସୁଛି। ଆସନ୍ତା କିଛିଦିନ ପାଇଁ ଉତ୍ସବମୁଖର ରହିବ ସାରା ଓଡ଼ିଶା। ଅନ୍ୟପଟରେ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ମାତ୍ର ସଂକ୍ରମଣ ସଂପୂର୍ଣ୍ଣ ଶେଷ ହୋଇ ନ ଥିବାରୁ ଏହା ଉପରେ କଡ଼ା ନଜର ରଖିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି। ସବୁ ଜିଲ୍ଲା ସିଡିଏମ୍‌ଓ, ମ୍ୟୁନିସିପାଲ କମିସନର, ଏସ୍‌ପି ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ସ୍ବାସ୍ଥ୍ୟ ବିଭାଗ ସତର୍କ କରାଇଛି ଯେ ଲୋକମାନେ ଯଥାସମ୍ଭବ ଗହଳିରୁ ନିଜକୁ ଦୂରେଇ ରଖିବା ଉଚିତ୍। ମାସ୍କ ବ୍ୟବହାର, ହାତ ଧୋଇବା ସହିତ ‌ପ୍ରିକସନ୍ ଡୋଜ୍ ଟିକା ନେବା ଦରକାର। ଜ୍ବର, ଥଣ୍ଡା, କାଶ ଆଦି ଲକ୍ଷଣ ଥିଲେ ଜନଗହଳିକୁ ନ ଯିବା ସହିତ ପୃଥକ ବାସରେ ରହିଲେ ସଂକ୍ରମଣ ରୋକାଯାଇପାରିବ। କେବଳ ସେତିକି ନୁହେଁ, ଏଭଳି ଲକ୍ଷଣ ଥିବା ବ୍ୟକ୍ତିମାନେ କୋଭିଡ୍‌ ପରୀକ୍ଷା କରାଇନେବା ଜରୁରୀ। ସେହିଭଳି ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ, ମାଛି ବସିଥିବା, ବାସି/ପଚାସଢ଼ା କିମ୍ବା ରଙ୍ଗ ଦିଆ ଖାଦ୍ୟ ଠାରୁ ଲୋକଙ୍କୁ ଦୂରେଇ ରହିବାକୁ ହେବ। ଫୁଟାପାଣି କିମ୍ବା ହାଲୋଜେନ ବଟିକା ପଡ଼ିଥିବା ପାଣି ପିଇବା ଅପରିହାର୍ଯ୍ୟ। ଆତସବାଜିଠାରୁ ଦୂରେଇ ରହିବା ଓ ଉତ୍କଟ ଶବ୍ଦ ତଥା ଧୂଆଁ ସୃଷ୍ଟି କରୁଥିବା ବାଣ ଫୁଟେଇବାଠାରୁ ଲୋକଙ୍କୁ ନିବୃତ୍ତ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ବିଶେଷକରି ହବିଷ ବ୍ରତ ପାଳନ କରୁଥିବା ବୟସ୍କ ମହିଳା ଯଥାସମ୍ଭବ ଉଷୁମ ପାଣି ବ୍ୟବହାର କରିବା ଲାଗି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ। ଠିକ୍ ସମୟରେ ଭୋଜନ, ଶୀତ ବସ୍ତ୍ର ବ୍ୟବହାର ଓ ମଶାରୀ ଟାଙ୍ଗି ଶୋଇବା ଲାଗି ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଅପରପକ୍ଷରେ ପାର୍ବଣକୁ ନଜରରେ ରଖି ରାଜ୍ୟରେ ଦୈନିକ ୧୫ହଜାର କୋଭିଡ ଟେଷ୍ଟିଂ ଜାରି ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରିକି ପ୍ରତି ଜିଲ୍ଲା ୧୦ଲକ୍ଷ ଜନସଂଖ୍ୟାରେ ଦୈନିକ ୩୫୦ ନମୁନା ପରୀକ୍ଷା କରିବା ସହିତ ତହିଁରେ ୪୦ ପ୍ରତିଶତ ଆରଟି-ପିସିଆର ନମୁନା ପରୀକ୍ଷା କରିବା ଲାଗି ନିର୍ଦେଶ ରହିଛି। ସମସ୍ତ ସିଏଚ୍‌ସି ଓ କିଛି ନିର୍ଦ୍ଦିଷ୍ଟି ପିଏଚ୍‌ସିରେ ଆଣ୍ଟିଜେନ୍ ପରୀକ୍ଷା ଓ ଆର୍‌ଟି-ପିସିଆର ସ୍ବାବ୍ ସଂଗ୍ରହ ଜାରି ରହିବ। କୋଭିଡ୍‌ ସମ୍ବଦ୍ଧିତ ସମସ୍ତ ତଥ୍ୟ ଠିକ୍ ସମୟରେ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଯାହାଫଳରେ ତଥ୍ୟରେ କୌଣସି ଅସମାନତା ସୃଷ୍ଟି ହେବନାହିଁ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ୨୦ ପ୍ରତିଶତ ମାନବ ସମ୍ବଳ ରଖିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ପରିବର୍ତନ କରାଯାଇ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ୫୦ ପ୍ରତିଶତ ମାନବ ସମ୍ବଳ ରଖିବାକୁ କୁହାଯାଇଛି। ଏଥିରେ ୬ଜଣ ଲେଖାଏ ଏଲ୍‌ଟି, ଡିଇଓ, ସ୍ବାସ୍ଥ୍ୟକର୍ମୀ ରହିବେ। ଆରଟି-ପିସିଆର ପାଇଁ ବ୍ୟବହୃତ ସାମଗ୍ରୀ ରାଜ୍ୟ ଔଷଧ ନିଗମ ପକ୍ଷରୁ ଯୋଗାଣ ନ ଥିବାରୁ ‘ନିଦାନ’ ପାଣ୍ଠିରୁ ଏହାକୁ କିଣିବା ଲାଗି କୁହାଯାଇଛି।

ସେହିପରି ୧୦୪ କଲ୍‌ ସେଣ୍ଟରରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ସେଠାରୁ ହଟାଇ ଦିଆଯିବା ସହିତ ନିଜ କାର୍ଯ୍ୟସ୍ଥଳୀକୁ ଫେରିଯିବାକୁ ନିର୍ଦେଶ ଦିଆଯାଇଛି। କୋଭିଡ୍‌ ପରିଚାଳନା ପାଇଁ ଏସ୍‌ସିବି, ଏମ୍‌କେସିଜି ଓ ଭିମ୍‌ସାର୍‌ ବୁର୍ଲାରେ ୨୦ଶଯ୍ୟା ସହିତ ଆଇସିୟୁ/ଏଚ୍‌ଡିୟୁ ରହିବ। ଏସବୁ ମେଡିକାଲ କଲେଜରେ କୋଭିଡ୍‌ ଟେଷ୍ଟିଂ ପାଇଁ ଜଣେ ରିସର୍ଚ ଆସିଷ୍ଟାଣ୍ଟ, ୩ଜଣ ଏଲ୍‌ଟି ଓ ୨ଜଣ ଡିଇଓ ରଖିପାରିବେ। ଏସ୍‌ସିବିରେ ହିଁ କେବଳ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ ରହିପାରିବେ। ଏ ବାବଦ ଖର୍ଚ୍ଚ ପିଏଚ୍‌ଆର ପାଣ୍ଠିରୁ ଭରଣା କରାଯିବ।

nis-ad
Leave A Reply

Your email address will not be published.