ରାସ୍ତାରେ ପିଟିଲା ଅଜଣା ବାଇକ, ମହିଳା ମୃତ

କରଞ୍ଜିଆ:  ଦୁର୍ଗା ପୂଜା ଛୁଟିରେ ଝିଅକୁ ସ୍କୁଲ ହଷ୍ଟେଲରୁ ନେଇ ଚାଲି ଚାଲି ଘରକୁ ଫେରୁଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସି ଏକ ବାଇକ ଧକ୍କା ଦେବାରୁ ଘଟଣା ସ୍ଥଳରେ ମାର ମୃତ୍ୟୁ ଘଟିଛି। ଶନିବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ମହୁଲଡ଼ିହା ଅଫିସ ସାହି ନିକଟରେ ଏପରି ଦୁର୍ଘଟଣା ଘଟିଛି। ମୃତକ ମହିଳା ଜଣକ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭଲିଆଡାଳ ଗ୍ରାମ ଢେଙ୍କିଶାଳ ସାହିର ମଙ୍ଗୁଳୁ କାଣ୍ଡିୟାଙ୍ଗଙ୍କ ସ୍ତ୍ରୀ କାଇରୀ (୪୮ବର୍ଷ) ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଦୁର୍ଘଟଣାରେ ମୃତ କାଇରୀଙ୍କ ଝିଅ ସୁରୁ ମହୁଲଡ଼ିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ।ଦୁର୍ଗା ପୂଜା ପାଇଁ ସ୍କୁଲ ଛୁଟି ହେବାରୁ ହଷ୍ଟେଲରେ ଥିବା ଝିଅ ସୁରୁକୁ ଘରକୁ ଆଣିବାକୁ ଶନିବାର ସକାଳୁ ତାଙ୍କ ମା ଓ ମାମୁଁ ତୁସିଲ ଦେଓଗାଁମ ଆସିଥିଲେ। ଝିଅକୁ ହଷ୍ଟେଲରୁ ନେଇ ଚାଲି ଚାଲି ୩ ଜଣ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବାଇକ ଆସି କାଇରୀଙ୍କୁ ଧକ୍କା ଦେଇ ଖସି ପଳାଇଯାଇଥିଲା।ଘଟଣା ସ୍ଥଳରେ କାଇରୀ ଛିଟକି ପଡିଥିଲେ। ପରେ ଡାକ୍ତରଖାନା ନେବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ମହୁଲଡ଼ିହା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.