ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା

ପୁରୀ,୨୬/୦୯: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବଙ୍କ ଉପାସନା । ରବିବାର ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା । ବଡ଼ଦେଉଳରୁ ଦୁର୍ଗାମାଧବ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରରେ ବିଜେ ହୋଇଥିଲେ । ନାରାୟଣୀଙ୍କ ମନ୍ଦିରରେ ଦୁର୍ଗାମାଧବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ରାତିରେ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ ।

ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସରିଥିଲା । ପରେ ମା’ବିମଳାଙ୍କ ସକାଳ ଧୂପ ବସିବା ପରେ ଦୁର୍ଗାମାଧବ ଶ୍ରୀମନ୍ଦିରରୁ ବାହାରିଥିଲେ । ବିମାନବଡ଼ୁ ସେବକମାନେ ବିମାନ ନେଇ ନାରାୟଣୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଠାକୁରଙ୍କୁ ଚନ୍ଦନଲାଗି କରାଯାଇଥିଲା । ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇ ମାଣ୍ଡୁଅ ଭୋଗ ଅର୍ପଣ କରାଯାଇଥିଲା । ଦୁଇ ବାଡ଼ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ରାତିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚନ୍ଦନଲାଗି ନୀତି ବଢ଼ିବା ପରେ ସେବାୟତମାନେ ଦୁର୍ଗାମାଧବଙ୍କୁ ବିଜେ କରାଇ ଆଣି ଭଣ୍ଡାର ଘରେ ସ୍ଥାପନା କରିଥିଲେ । ଷୋଳପୂଜାର ପ୍ରଥମ ୮ଦିନ ମା’ବିମଳାଙ୍କ ମନ୍ଦିରରେ ଦୁର୍ଗାମାଧବ ବିଜେ ହୋଇଥାନ୍ତି । ଅବଶିଷ୍ଟ ଦିନରେ ଠାକୁର ଠାକୁରାଣୀ ମା’ନାରାୟଣୀଙ୍କ ମନ୍ଦିରକୁ ଯାଇଥାନ୍ତି । ଏହି ଉତ୍ସବକୁ ଗୁପ୍ତ ଗୁଣ୍ଡିଚା ତଥା ଶାକ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ ।

nis-ad
Leave A Reply

Your email address will not be published.