ଆଟର୍ଣ୍ଣି ଜେନେରାଲ ହେବାକୁ ପ୍ରସ୍ତାବ ଦେଲେ ସରକାର, ମନାକଲେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ପୁଣିଥରେ ଦେଶର ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ୨୦୧୭ ଜୁନ ମାସରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦ ଛାଡ଼ିଥିଲେ। ଏହାପରେ କେକେ ଭେନୁଗୋପାଲ ଏହି ଦାୟିତ୍ୱ ନେଇଥିଲେ। ଏବେ ସରକାର ପୁଣି ୬୭ ବର୍ଷୀୟ ରୋହତଗୀଙ୍କୁ ଆଟର୍ଣ୍ଣି ଜେନେରାଲ କରିବାକୁ ଚାହୁଁଥିଲେ। ତେବେ ଏହା ସମ୍ଭବ ହୋଇପାରିନି।
ଆଟର୍ଣ୍ଣି ଜେନାରାଲ କେକେ ଭେନୁଗୋପାଲଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେବ। ସେ ୫ ବର୍ଷ ହେଲା ସରକାରଙ୍କ ଟପ୍‌ ଓକିଲ ଭାବେ ବିଭିନ୍ନ ମାମଲା ପରିଚାଳନା କରୁଛନ୍ତି। ଭେନୁଗୋପାଲ କାର୍ଯ୍ୟକାଳ ୩୦ ତାରିଖରେ ଶେଷ ହେଉଥିବାରୁ ସରକାର ରୋହତଗୀଙ୍କୁ ଏଜି ହେବାକୁ କହିଥିଲେ। ସେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୧ରେ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ସେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ମନା କରି ଦେଇଛନ୍ତି। ଏହାର କାରଣ ସମ୍ପର୍କରେ କିନ୍ତୁ କିଛି ବି ଜଣାପଡ଼ିନି।
୨୦୧୭ରେ ଏଜି ଭାବେ ଦାୟିତ୍ୱ ନେଇଥିବା ଭେନୁଗୋପାଲଙ୍କ କାର୍ଯ୍ୟକାଳ ୨୦୨୦ରେ ପ୍ରଥମଥର ଶେଷ ହୋଇଥିଲା। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ନିଜର ବୟସ କଥା କହି ଦାୟିତ୍ୱ ମୁକ୍ତ କରିବାକୁ କହିଥିଲେ। କିନ୍ତୁ ସରକାର ଏଥିରେ ରାଜି ହୋଇ ନଥିଲେ। ଏହାପରେ ତାଙ୍କ କାର୍ଯ୍ୟକାଳ ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା।
ଅନ୍ୟପକ୍ଷରେ ମୁକୁଲ ରୋହତଗୀ ଜଣେ ବରିଷ୍ଠ ଆଇନଜୀବୀ। ସେ ସୁପ୍ରିମକୋର୍ଟ ଦେଶର ବିଭିନ୍ନ ହାଇକୋର୍ଟରେ ମାମଲା ଲଢ଼ିଛନ୍ତି। ଗୁଜରାଟ ଦଙ୍ଗା ମାମଲାରେ ସେ ସରକାରୀ ଓକିଲ ଭାବେ କାମ କରିଥିଲେ। ଏଥିସହ ନିକଟରେ ସେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପାଇଁ ମାମଲା ଲଢ଼ିଥିଲେ।

nis-ad
Leave A Reply

Your email address will not be published.