ଉତ୍କଳ ଆଶ୍ରମ ପକ୍ଷରୁ କୃପାମୟ ଅନଙ୍ଗ ଭୀମଦେବଙ୍କ ତୈଳଚିତ୍ର ଉନ୍ମୋଚିତ, କୃପାମୟ ଦେବ ସ୍ମୃତି ସମାରୋହ

ବ୍ରହ୍ମପୁର : ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ବଡ଼ଖେମୁଣ୍ଡି ରାଜ୍ୟର ତତ୍କାଳୀନ ପ୍ରଜା ହିତୈଷୀ ରାଜା ଗଜପତି ମହାରାଜ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବଙ୍କ ଶହେତମ ଶ୍ରାଦ୍ଧବାର୍ଷିକୀ ଅବକାଶରେ ଆଜି ସନ୍ଧ୍ୟାରେ ଏକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା l ଉତ୍କଳ ଆଶ୍ରମ ନ୍ୟାସର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ ଉଦ୍ଘାଟନ କରିଥିଲେ l ଏହି ସ୍ମୃତି ସମାରୋହରେ ମୁଖ୍ୟଅତିଥି ରୂପେ ଯୋଗଦେଇ କୁଳପତି ପ୍ରଫେସର୍ ଦାଶ ଉତ୍କଳ ସମ୍ମିଳନୀ ଓ ଓଡ଼ିଶା ପ୍ରଦେଶ ଗଠନରେ କୃପାମୟ ଦେବଙ୍କ ମହନୀୟ ଭୂମିକା ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ l
ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟ ସ୍ମାରକୀ ବକ୍ତୃତା ପ୍ରଦାନ କରି ୧୮୭୬ ମସିହାରେ ଜନ୍ମିତ ବଡ଼ଖେମୁଣ୍ଡି ରାଜ୍ୟର ପୁଣ୍ୟଶ୍ଳୋକ ମହାରାଜ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବଙ୍କ ପ୍ରଜା ହିତୈଷୀ କାର୍ଯ୍ୟ, ସାହିତ୍ୟ ସାଧନା, ଜାତୀୟତାବୋଧ ଓ ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋଚନା କରିଥିଲେ l
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୃପାମୟ ଦେବଙ୍କ ସାରସ୍ୱତ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ବଡ଼ଖେମୁଣ୍ଡି ରାଜ ପରିବାରର ସଦସ୍ୟ ମୋହନ ପ୍ରସାଦ ଦେବ, ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ ଓ ସାନଖେମୁଣ୍ଡି ରାଜ ପରିବାର ସଦସ୍ୟ ବୀରକିଶୋର ଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବଜ ମହାରାଜ କୃପାମୟ ଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଶହେତମ ଶ୍ରାଦ୍ଧବାର୍ଷିକୀ ଅବକାଶରେ ବଡ଼ଖେମୁଣ୍ଡି ରାଜ ପରିବାରର ସଦସ୍ୟମାନଙ୍କ ସହଯୋଗିତାରେ ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ଏହି ସ୍ମୃତି ସମାରୋହରେ କୃପାମୟ ଅନଙ୍ଗ ଭୀମଦେବଙ୍କ ଏକ ତୈଳଚିତ୍ର ଉନ୍ମୋଚନ କରାଯାଇଥିଲା l ଡ. ଅନନ୍ତରାମ କର କୌଣ୍ଡିନ୍ୟଙ୍କ ଦ୍ୱାରା ଲିଖିତ ‘ଗଜପତି ଶ୍ରୀ କୃପାମୟ ଅନଙ୍ଗ ଭୀମଦେବ’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ପ୍ରାରମ୍ଭରେ ଜଗନ୍ନାଥାଷ୍ଟକ ଗାନର ଭବ୍ୟ ବାତାବରଣ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କୁଳପତି ପ୍ରଫେସର୍ ଦାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଡ. ହୃଷୀକେଶ ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ ଏବଂ ଡ. ଲମ୍ବୋଦର ପାଣିଗ୍ରାହୀ ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l ଡ. କୁଳମଣି ଓଝା ଶଙ୍କରାଚାର୍ଯ୍ୟଙ୍କ ବିରଚିତ ଜଗନ୍ନାଥାଷ୍ଟକ ସହ କୃପାମୟ ଦେବଙ୍କ ରଚିତ ‘କି ଶୋଭା ଗୋ କୁଞ୍ଜେ ମଦନ ମୋହନ’ ସଂଗୀତ ପରିବେଷଣ କରିଥିଲେ l ଉକ୍ତ ଶ୍ରାଦ୍ଧ ଶତବାର୍ଷିକୀ ସ୍ମୃତି ସମାରୋହ ସଂଚାଳନରେ ଡ. କୃଷ୍ଣ ପ୍ରସାଦ ମହାପାତ୍ର, ଅନୁପ କୁମାର ମିଶ୍ର, ଦୀନବନ୍ଧୁ ଶ୍ରୀପଲ୍ଳବ, ନଳିନୀକାନ୍ତ ଗୌଡ଼ ଓ ରାଜ ପରିବାରର ଦେବବ୍ରତ ଦେବ, ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଡ. କୃଷ୍ଣ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.