ବର୍ଷାରେ ଭୁଶୁଡ଼ିଛି ଗାର୍ଲସ୍ ହାଇସ୍କୁଲ ପାଚେରୀ , ନିର୍ମାଣ ପାଇଁ ଦାବି…


ବୁଗୁଡ଼ା : ଗତ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ବୁଗୁଡ଼ା ଗାର୍ଲସ୍ ହାଇସ୍କୁଲର ପାଚେରୀ ।ଏ ମଧ୍ୟରେ ଏକ ମାସ ବିତି ଗଲାଣି । ଅଭିଯୋଗ ସତ୍ତ୍ୱେ ବି ନିର୍ମାଣର ନାଆଁ ଧରୁନି ପ୍ରଶାସନ । ଭଙ୍ଗା ପାଚେରୀ ପଟ ଦେଇ ବୁଲା ଗାଈଗୋରୁ ଓ ଘୁଷୁରୀଙ୍କ ଅବାଧ ପ୍ରବେଶ ସାଙ୍ଗକୁ ଚୋରଙ୍କ ପାଇଁ ବାଟ ଖୋଲା ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ତାହା ଚିନ୍ତାର କାରଣ ପାଲଟିଛି । ଏହାର ପ୍ରତିକାର ବ୍ଯବସ୍ଥା କରିବାକୁ ଯାଇ ଖୋଲା ବାଟରେ ଚାରି ଖଣ୍ଡ ବାଉଁଶ ପୋତି ଦେଇ କାନମୁଣ୍ଡା ଆଉଁସି ବସି ରହିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଅନ୍ୟପକ୍ଷରେ ଏ କ୍ଷେତ୍ରରେ ପ୍ରଶାସନିକ ଉଦାସୀନତାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯୋଗ୍ୟ ଯେ, ଗତ ଅଗଷ୍ଟ ୨୦ ତାରିଖ ଦିନ ଲଗାଣ ବର୍ଷାରେ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ ଭୁଶୁଡ଼ି ପଡିଲା । ଫଳରେ ଭଙ୍ଗା ପାଚେରୀ ପଟ ଦେଇ ଗାଈଗୋରୁ ଓ ଘୁଷୁରୀଙ୍କ ଅବାଧ ପ୍ରବେଶ ଘଟିଲା । ଏନେଇ ଅଗଷ୍ଟ ୨୩ ତାରିଖରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗକୁ ଦରଖାସ୍ତ କରାଯିବା ପରେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାପଚୁପ କରି ଚାଲି ଯାଇଥିଲେ ହେଁ ଅଦ୍ୟାବଧି ଦୂରାବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ । ଏହି ବିଦ୍ୟାଳୟଟି କେବଳ ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ହେତୁ ସେମାନଙ୍କ ନିରାପତ୍ତା ଦୃଷ୍ଟିରୁ ଆଉ କାଳ ବିଳମ୍ବ ନ କରି ସମସ୍ଯାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ପ୍ରବଳ ଦାବି ହେଉଛି । ତେବେ ଏ ନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ରମେଶ କୁମାର ଚୌଧୁରୀଙ୍କୁ ପଚାରିବାରେ ଯଥାଶୀଘ୍ର ଏହି ସମସ୍ଯାର ସମାଧାନ ହୋଇଯିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.